ଜରୁରୀ ସେବାରେ ନିୟୋଜିତ ପୋଲିସଙ୍କୁ ସମ୍ମାନ: ଉତ୍ପାଦିତ କ୍ଷୀର ପୋଲିସକୁ ପ୍ରଦାନ କଲେ ଗୋପାଳ

ବନ୍ତ,୨୭ା୩(ଡି.ଏନ୍‌.ଏ.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଜରୁରୀ ସେବାରେ ନିୟୋଜିତ ଥିବା ଅଧିକାରୀ କିମ୍ବା କର୍ମଚାରୀଙ୍କୁ ହୃଦୟରୁ ସମ୍ମାନ ଜଣାଇଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ଗ୍ରାମର ଗୋପାଳକ ଅକ୍ଷୟ କୁମାର ବାରିକ। ଶୁକ୍ରବାର ଅକ୍ଷୟ ନିଜ ଫାର୍ମର ଉତ୍ପାଦିତ କ୍ଷୀରକୁ ବନ୍ତ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି। ଓଡ଼ଙ୍ଗର ପ୍ରାଣୀଧନ ନିରୀକ୍ଷକ ପ୍ରିୟବ୍ରତ ରାଉତଙ୍କ ତତ୍ତ୍ବାବଧାନରେ ସେ ବନ୍ତ ଥାନାଧିକାରୀ ମିନା ବିନ୍ଧାଣୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ୨୨ଲିଟର କ୍ଷୀର ପ୍ରଦାନ କରିଛନ୍ତି । କରୋନା ପାଇଁ ଦିନରାତି ଏକ କରି ଲୋକଙ୍କୁ ସେବା ଯୋଗାଉଥିବା ପୋଲିସ କର୍ମଚାରୀଙ୍କୁ ସେ ମାଗଣାରେ କ୍ଷୀର ପ୍ରଦାନ କରିଥିବା କହିଛନ୍ତି। ଗୁରବାର ସେ ଆଗରପଡା ଥାନା କର୍ମଚାରୀଙ୍କୁ କ୍ଷୀର ପ୍ରଦାନ କରିଥିବା କହିଛନ୍ତି।