ଜର୍ମାନୀ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଯୋଗଦେବ ସି.ଭି. ରମଣ

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ଜର୍ମାନୀର ମୁନିଚ୍‌ଠାରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟ ଚାମ୍ପିୟନଶିପ୍‌ ପାଇଁ ସି.ଭି. ରମଣ ଇଞ୍ଜିନିୟରିଂ କଲେଜ ଯୋଗ୍ୟ ବିବେଚିତ ହୋଇଛି। ଚଳିତବର୍ଷ ମୁମ୍ବାଇର ଆଇଫାଟ୍‌-୧୯ ଆନୁକୂଲ୍ୟରେ ଅନୁଷ୍ଠିତ ଓ୍ବାଟର ରିସୋର୍ସ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ସି.ଭି. ରମଣ କଲେଜର ଅଶ୍ୱଥା ନାରାୟଣ, ଡି. କିଷାନ ଆଚାରି ଓ ତାନ୍ୟା ପାଲ୍‌ ଦଳଗତ ଭାବେ ପ୍ରଥମ ସ୍ଥାନ ଅଧିକାର କରି ଏହି ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହି ଦଳ କୌଣସି ଏକ ସହରର ଜଳ, ପ୍ରଦୂଷିତ ଜଳ, ଆବର୍ଜନା ଓ ଶକ୍ତି ବ୍ୟବହାର ପାଇଁ ଏକ ଉତ୍କୃଷ୍ଟମାନର ଡିଜାଇନ୍‌ ପ୍ରସ୍ତୁତ କରି ପ୍ରଦର୍ଶନ କରିବେ। ଏହି ପ୍ରତିଯୋଗିତାରେ ତୁର୍କୀ, ୟୁରେସିଆ, ଦକ୍ଷିଣ ଆଫ୍ରିକା, ଚାଇନା, ଜର୍ମାନୀ, ଅଷ୍ଟ୍ରିଆ ସହ ଅନ୍ୟ ଦେଶର ବିଜେତା ଦଳ ଭାଗନେବେ। ଏହି ପ୍ରତିଯୋଗିତା ଯୁବ ଇଞ୍ଜିନିୟରଙ୍କ ମଧ୍ୟରେ ଜଳ ସଂରକ୍ଷଣ ଓ ଉଚିତ୍‌ ବ୍ୟବହାର ପାଇଁ ନୂଆ ଏବଂ ଉନ୍ନତ ପଦ୍ଧତି ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କଲେଜ ଚେୟାରମ୍ୟାନ ସଞ୍ଜୀବ କୁମାର ରାଉତ କହିଛନ୍ତି। ଡି.ଡବ୍ଲୁ.ଏ ଜର୍ମାନ ଆସୋସିଏଶନର ମୁଖ୍ୟ ରୁଡିଗର୍‌ କହିଛନ୍ତି, ଭାରତର ନଦୀ ଓ ସହରର ପ୍ରଦୂଷିତ ଜଳକୁ ଉନ୍ନତ ଜ୍ଞାନକୌଶଳ ଦ୍ୱାରା ବିଶୋଧନ କରି ଜନସାଧାରଣ, ଶିଳ୍ପ ସଂସ୍ଥା ଓ କୃଷକଙ୍କୁ ଯୋଗାଇବା କ୍ଷେତ୍ରରେ ଏହି ପ୍ରତିଯୋଗିତା ବିଶେଷ ସହାୟକ ହେବ।

Share