Categories: ବାଣିଜ୍ୟ

ଜଲାନ କମିଟି ରିପୋର୍ଟ ପ୍ରଦାନ: ସୋମବାର ଆର୍‌ବିଆଇର ବିଚାର

ମୁମ୍ବାଇ,୨୫-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଶୁକ୍ରବାର ତାଙ୍କର ରିପୋର୍ଟ କେନ୍ଦ୍ରୀୟ ବ୍ୟାଙ୍କକୁ ପ୍ରଦାନ କରିଛନ୍ତି। ସୋମବାର ଆର୍‌ବିଆଇ ଏହାର ସୁପାରିସ୍‌ ଉପରେ ବିଚାର କରିବ ବୋଲି ଜଣାପଡିଛି। ରିଜର୍ଭ ବ୍ୟାଙ୍କ ନିକଟରେ ରହିଥିବା ବଳକା ଅର୍ଥ ମଧ୍ୟରୁ କେତେ ପରିମାଣ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇପାରିବ ସେ ସଂକ୍ରାନ୍ତରେ ସୁପାରିସ୍‌ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜଲାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଆର୍‌ବିଆଇର ବଳକା ଅର୍ଥ ପ୍ରଦାନକୁ ନେଇ କେନ୍ଦ୍ର ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଆର୍‌ବିଆଇର ଅର୍ଥ ନେଇ ଋଣ ପରିଶୋଧ ସହ ବ୍ୟାଙ୍କଗୁଡ଼ିକୁ ପୁଞ୍ଜି ପ୍ରଦାନ କରାଯିବ ବୋଲି ସରକାର ଯୁକ୍ତି ଦର୍ଶାଉଥିଲେ। ପର୍ଯ୍ୟାୟକ୍ରମେ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଲାଭାଂଶ ପ୍ରଦାନ କରିବାକୁ କମିଟି ସୁପାରିସ କରିବ ବୋଲି ପୂର୍ବରୁ ଖବର ପ୍ରକାଶ କରାଯାଇସାରିଛି। ତେବେ କେନ୍ଦ୍ର ସରକାରଙ୍କୁ କେତେ ପରିମାଣ ଅର୍ଥ ଦିଆଯିବା ନେଇ ସୁପାରିସ୍‌ ହୋଇଛି ସେ ନେଇ ଅଦ୍ୟାବଧି କିଛି ଜଣାପଡି ନାହିଁ। ଏବେ ସୁଦ୍ଧା ରିଜର୍ଭ ବ୍ୟାଙ୍କ ନିକଟରେ ପ୍ରାୟ ୯.୨ ଲକ୍ଷ କୋଟି ଟଙ୍କା ବଳକା ରହିଛି।

Share