Categories: ବାଣିଜ୍ୟ

ଜଲାନ କମିଟି ସୁପାରିସ୍‌ ବୋର୍ଡରେ ଗୃହୀତ;ସରକାରଙ୍କୁ ୧.୭୬ ଲକ୍ଷ କୋଟି ଦେବ ଆର୍‌ବିଆଇ

ମୁମ୍ବାଇ,୨୭-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କେନ୍ଦ୍ର ସରକାରଙ୍କୁ ବଳକା ପାଣ୍ଠିରୁ ଲାଭାଂଶ ବାବଦରେ ୧.୭୬ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ସୋମବାର ଆର୍‌ବିଆଇର କେନ୍ଦ୍ରୀୟ ବୋର୍ଡ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇ ସୁପାରିସକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଆର୍‌ବିଆଇ ବୋର୍ଡ ଅଫ୍‌ ଡାଇରେକ୍ଟର ସରକାରଙ୍କୁ ୧,୭୬,୦୫୧ କୋଟି ଟଙ୍କା ଲାଭାଂଶ ଦେବାକୁ ଅନୁମୋଦନ କରିଛି। ବଳକା ଲାଭାଂଶ ମଧ୍ୟରୁ ୨୦୧୮-୧୯ ଲାଗି ୧,୨୩,୪୧୪ କୋଟି ଟଙ୍କା ଏବଂ ଅବଶିଷ୍ଟ ୫୨,୬୩୭ କୋଟି ଟଙ୍କା ସଂଶୋଧିତ ପୁଞ୍ଜି ବ୍ୟବସ୍ଥା ସ୍ବରୂପ ପ୍ରଦାନ କରାଯିବ। ୨୦୧୮-୧୯ର ଜିଡିିପିକୁ ହିସାବକୁ ନେଇ ୧.୧୫% ବଳକା ରାଶି ପ୍ରଦାନ କରାଯିବ। ସରକାର ଏହି ଅର୍ଥକୁ ଢ଼ାଞ୍ଚାଗତ ନିର୍ମାଣରେ ବିନିଯୋଗ କରିବେ। ଏହାଦ୍ୱାରା ଅର୍ଥନୀତି ଦୌଡିବା ଦ୍ରୁତତର ହେବ। ସୂଚନାଥାଉ କି, ସରକାରଙ୍କୁ ବଳକା ଅର୍ଥ ପ୍ରଦାନ ନେଇ ଆର୍‌ବିଆଇ ପକ୍ଷରୁ ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ବାରମ୍ବାର ଏହି କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯିବା ପରେ ଶେଷରେ ଗତ ସପ୍ତାହରେ କମିଟି ତାଙ୍କର ରିପୋର୍ଟ ରିଜର୍ଭ ବ୍ୟାଙ୍କକୁ ପ୍ରଦାନ କରିଛି। ରିଜର୍ଭ ବ୍ୟାଙ୍କର ବଳକା ଅର୍ଥକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସହ ତତ୍କାଳୀନ ଆର୍‌ବିଆଇ ଗଭର୍ନର ଉର୍ଜିତ ପଟେଲଙ୍କ ମତଭେଦ ରହିଥିଲା। ଏହି କାରଣରୁ ପଟେଲ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ।

Share