Advertisement

ଜଲିଉଡ ଚନ୍ଦନ ଆୱାର୍ଡ ଉତ୍ସବ: ୧୦୦ କଳାକାର ସମ୍ମାନିତ

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ଆଠଦିନ ବ୍ୟାପୀ ଗୀତଗୋବିନ୍ଦ ସଦନରେ ଯାତ୍ରା ଜଗତର କଳାକାରମାନଙ୍କୁ ନେଇ ଆୟୋଜିତ ଜଲିଉଡ୍‌ ଚନ୍ଦନ ଆୱାର୍ଡ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ୧୦୦ରୁ ଉର୍ଦ୍ଧ୍ୱ କଳାକାରମାନଙ୍କୁ ଚନ୍ଦନ ଆୱାର୍ଡ ପ୍ରଦାନ କରାଯାଇଥିବାବେଳେ ୫୦୦ରୁ ଊର୍ଦ୍ଧ୍ୱ କଳାକାର ଏଥିରେ ଅଂଶଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଆମେରିକା ଗ୍ରୀନ୍‌ ବ୍ଲୁ ଫ୍ୟାମିଲିର ଅଧ୍ୟକ୍ଷା ସେନ୍‌ସା, ୱି ଫର୍‌ ଗ୍ରୀନ୍‌ ବ୍ଲୁ ଅନୁଷ୍ଠାନର ସେକ୍ରେଟାରି ଜେନେରାଲ ନେସେରିନ୍‌, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂ, ବୀର ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ପ୍ରଫେସର ଶଶାଙ୍କ ଚୂଡ଼ାମଣି, ଚିନ୍ତା ଚେତନାର ରାଷ୍ଟ୍ରୀୟ ସମ୍ପାଦକ ସୁରେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରେରଣା ଇଣ୍ଟରନ୍ୟାଶନାଲ ଗ୍ରୀନ୍‌ ଆର୍ମିର କମାଣ୍ଡର ଇନ୍‌ ଚିଫ୍‌ ଦିଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ, ଆଗାମୀ ଦିନରେ କଳାକାରମାନଙ୍କ ପରିଚିତି ଦର୍ପଣ ନାମକ ଏକ ପୁସ୍ତକ ପ୍ରକାଶ କରାଯିବ। ଭୁବନେଶ୍ୱରରେ କଳାକାରମାନଙ୍କ ରହଣି ପାଇଁ ଏକ ବାସଭବନ ନିର୍ମାଣ ଲାଗି ସରକାର ଜାଗା ଯୋଗାଇ ଦେବାକୁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ କରାଯିବ। ଏଥିସହିତ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର କଳାକାରମାନଙ୍କ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଯେପରି ସମ୍ମାନ ପ୍ରଦାନ ଉତ୍ସବ ଆୟୋଜନ କରାଯାଉଛି, ଅନୁରୂପ ଭାବରେ ଅପେରା କଳାକାରମାନଙ୍କ ପାଇଁ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜନ ନିମନ୍ତେ ସରକାରଙ୍କ ନିକଟରେ ମଧ୍ୟ ଦାବି କରାଯିବ ବୋଲି ଦିଲୀପ ଶ୍ରୀଚନ୍ଦନ କହିଛନ୍ତି। ଏହି ଅବସରରେ ପ୍ରତ୍ୟେକ କଳାକାରଙ୍କୁ ଗୋଟିଏ ଗୋଟିଏ ଗଛ ଚାରା ବଣ୍ଟନ କରାଯାଇଥିଲା ଓ ସେମାନେ ଯେଉଁ ଅଞ୍ଚଳକୁ ନାଟକ ପ୍ରଦର୍ଶନ କରିବାକୁ ଯିବେ, ସେଠାରେ ଥିବା ସ୍କୁଲ୍‌, କଲେଜ, କ୍ଲବ, ମନ୍ଦିର ପରିସରରେ ବୃକ୍ଷରୋପଣ ପାଇଁ ଅନୁରୋଧ କରାଯାଇଥିଲା। ଶେଷରେ ୫୦୦ କଳାକାର ଗ୍ରୀନ୍‌ ଆର୍ମିରେ ଯୋଗଦେବା ସହ ଆଜୀବନ ସଦସ୍ୟ ରହିବା ପାଇଁ ଶପଥଗ୍ରହଣ କରିଥିଲେ। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କୃତି ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମାନିତ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share