Categories: ଜାତୀୟ

ଜଳବାହିତ ରୋଗରେ ପ୍ରତି ୪ ଘଣ୍ଟାରେ ଜଣେ ଲୋକଙ୍କ ମୃତ୍ୟୁ ଘଟୁଛି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ

ନୂଆଦିଲ୍ଲୀ,୨୯।୬: ଜଳବାହିତ ରୋଗରେ ଦେଶରେ ପ୍ରତି ୪ ଘଣ୍ଟାରେ ଜଣେ ଲୋକଙ୍କର ମୃତ୍ୟୁ ଘଟୁଛି। ସେହିପରି ପ୍ରତିଦିନ ୩୬ ହଜାରରୁ ଅଧିକ ଲୋକ ବିଭିନ୍ନ ଜଳବାହିତ ରୋଗରେ ସଂକ୍ରମିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରତିଦିନ ୭ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟୁଛି। ଏନେଇ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ହେଲଥ୍‌ ଇଣ୍ଟେଲଜେନ୍ସ୍‌ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟରେ ପ୍ରକାଶ ପାଇଛି। ଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ଜଳବାହିତ ରୋଗରେ ୧୧ହଜାର ୭ଶହ ୬୮ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ୭.୬ କୋଟି ଲୋକ ଏଭଳି ରୋଗ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୦୧୮ରେ କଲେରା, ଡାଇରିଆ, ଟାଇଫଏଡ୍‌, ହେପାଟାଇଟିସ୍‌ ଆଦି ରୋଗରେ ୨ ହଜାର ୪ ଶହ ୩୯ ଲୋକଙ୍କର ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରେ ୧ ହଜାର ୪ ଶହ ୫୦ ଜଣ ୫ ବର୍ଷରୁ କମ୍‌ ବୟସ୍କ ଶିଶୁ ରହିଛନ୍ତି। ୨୦୧୮ରେ ୫ ଶହ ୮୪ ଜଣଙ୍କର ହେପାଟାଇଟିସ୍‌ରେ ମୃତ୍ୟୁ ଘଟିଛି। ୨୦୧୪ଠାରୁ ମୃତକଙ୍କ ସଂଖ୍ୟା ବଢୁଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share