
ଗଜପତି,୨୭।୩(ଗିରିଧାରୀ ପରିଛା):ଜିଲାରେ ଦିନକୁ ଦିନ ତାପମାତ୍ରା ବଢ଼ୁଥିବା ବେଳେ ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ଗଜପତି ଜିଲା ଜଳସଙ୍କଟ ଦେଖିବାକୁ ମିଳିଛି। ଜିଲାରେ ବିଗତ ବର୍ଷ ଅଗଷ୍ଟ ମାସଠାରୁ ବର୍ଷା ଗାୟବ ହୋଇଯାଇଛି। ଜିଲାର ଜଳ ଉତ୍ସଗୁଡିକ ଶୁଷ୍କ ହୋଇଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ କିପରି ଲୋକେ ଜଳସଂକଟରୁ ମୁକ୍ତ ହେବେ ସେ ନେଇ ବିଧାନସଭାରେ ମତବ୍ୟକ୍ତ କରିଛନ୍ତି। ମହେନ୍ଦ୍ରତନୟା ନଦୀରେ ଆନିକଟ ନିର୍ମାଣ କରି ଜଳ ସଂରକ୍ଷଣ ପାଇଁ ଲିକ୍ଷିତ ପ୍ରସ୍ତାବ ଦେବା ସହ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।
ଗତ କିଛି ବର୍ଷ ଧରି ପାରଳାଖେମୁଣ୍ଡି ରାଜ୍ୟର ଅନ୍ୟତମ ଉତପ୍ତ ସହର ପାଲଟିଛି। ବର୍ତ୍ତମାନ ଗ୍ରୀଷ୍ମତ୍ଋତୁ ଆରମ୍ଭ ହେଉଛି। ଏହି ସମୟରେ ପାରଳାଖେମୁଣ୍ଡି ସହରର ମୂଖ୍ୟ ଜଳଉତ୍ସ ଗୁଡ଼ିକ ଯଥା :- ମହେନ୍ଦ୍ରତନୟା ନଦୀ ସଂପୂର୍ଣ୍ଣ ଶୁଖିଯାଇ ମରୁଭୂମିର ଭ୍ରମ ସୃଷ୍ଟି କରୁଛି। ମହେନ୍ଦ୍ରତନୟା ନଦୀର ଉନ୍ନତି ପାଇଁ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ଏହି ନଦୀ ଉପରେ ପାରଳାଖେମୁଣ୍ଡି ସହରବାସୀ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି। କିନ୍ତୁ ଦୁଃଖର ବିଷୟ ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। କିନ୍ତୁ ପଡୋଶୀ ଆନ୍ଧ୍ର ପ୍ରଦେଶ ଏହି ନଦୀ ଉପରେ ଡ୍ୟାମ ନିର୍ମାଣ କରି ନିଜର ବଡଭାଇ ପଣିଆ ଜାରି ରଖିଛି। ମହେନ୍ଦ୍ରତନୟା ନଦୀରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ଗଚ୍ଛିତ କରିରଖିବା ପାଇଁ ଡ୍ୟାମ ନିର୍ମାଣର ଆବଶ୍ୟକତା ରହିଛି।
ସହରର ଏହି ସମସ୍ୟା ପ୍ରତି ଗୁରୁତ୍ବ ପ୍ରଦାନ କରି ମହେନ୍ଦ୍ରତନାୟା ନଦୀରେ ଡ୍ୟାମ ନିର୍ମାଣ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ରୂପେଶ ଅନୁରୋଧ କରିଛନ୍ତି।