ଜଳସମ୍ପଦ ମନ୍ତ୍ରୀଙ୍କ ଗସ୍ତ: ମଙ୍ଗଳା ଦର୍ଶନ ସହ ନଦୀ ବନ୍ଧବାଡ଼ ବୁଲି ଦେଖିଲେ

କାକଟପୁର,୧୨।୯(ଡି.ଏନ୍‌.ଏ.): ରାଜ୍ୟ ଜଳ ସମ୍ପଦ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର କାକଟପୁର ଏବଂ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମନ୍ତ୍ରୀଙ୍କୁ ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ା, ଯୁବ-ବ୍ୟାପାର, ଆଇଟି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ ପ୍ରମୁଖ ସ୍ବାଗତ କରିଥିଲେ। ପରେ ତାଙ୍କୁ ସ୍ଥାନୀୟ ମଙ୍ଗଳା ମନ୍ଦିରକୁ ନିଆଯାଇଥିଲା। ସେଠାରେ ମନ୍ତ୍ରୀ ମା’ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ଦେବୀନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧକୁ ଯାଇ ସେଠାର ଅବସ୍ଥା ତଦାରଖ କରିଥିଲେ। ନଦୀବନ୍ଧର ସମ୍ବେଦନଶୀଳ ବାଉରିଆକଣ, ଅସନ, ନଗର ପ୍ରଭୃତି ସ୍ଥାନ ଗସ୍ତ କରିବା ସହ ବନ୍ଧର ଅବସ୍ଥା ଏବଂ ବନ୍ଧରୁ ନଦୀଶଯ୍ୟାକୁ ନିର୍ମାଣ କରାଯାଇଥିବା ବୁରୁଜର ଅବସ୍ଥା ଅନୁଧ୍ୟାନ କରିଥିଲେ। ଏହାପରେ ମନ୍ତ୍ରୀ ଧୋବାନାଳୀ, ନଗର ଲୁଣାବନ୍ଧ, କେଉଟଜଙ୍ଗା ସୁନାମି ପ୍ରତିରୋଧ ବନ୍ଧ ପ୍ରଭୃତି ସ୍ଥାନ ବୁଲି ଦେଖିଥିଲେ। ମନ୍ତ୍ରୀଙ୍କ ସହ ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀ ଯୁଗଳ କିଶୋର ତ୍ରିପାଠୀ, ଡ୍ରେନେଜ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଆଶୁତୋଷ ଦାସ, ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଶଶିଭୂଷଣ ମିଶ୍ର, ଉପନିର୍ବାହୀ ମନ୍ତ୍ରୀ ତପନ କୁମାର ନାୟକ ପ୍ରମୁଖ ରହିଥିଲେ।

Share