ଜଳିଗଲାଣି ଧାନଗଛ, ଚିନ୍ତାରେ ଚାଷୀ

ଉଲୁଣ୍ଡା, ୨୩ା୭ (ଡି.ଏନ.ଏ.)
ଶ୍ରାବଣ ମାସର ଆଦ୍ୟ ଚଉଠି, ଚାରିଦିଗୁ ମେଘ ଆସିବ ଘୋଟି। ଫେଲ ମାରିଲା ଏହି ଖନା ବଚନ। ଚଳିତ ବର୍ଷ ଶ୍ରାବଣ ମାସର ଆଦ୍ୟ ଚଉଠି ଗତ ଶନିବାର ଦିନଠାରୁ ୩୯ ଡିଗ୍ରୀ ତାପମାତ୍ରା ଉପରେ ସିଝୁଛି ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ। ପ୍ରଚଣ୍ଡ ତାପମାତ୍ରାରେ ଜଳି ଯାଉଛି ବୁଣା ଧାନ ଓ ତଳିଘେରା। ଆଖି ସାମ୍ନାରେ ଜଳି ଯାଉଥିବା ଗଜା ଫସଲ ଦେଖି ଅଞ୍ଚଳର ଚାଷୀକୁଳରେ ହା ହାକାର ସୃଷ୍ଟି ହେଉଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀଙ୍କ ମାନସିକ କଷ୍ଟକୁ ଦ୍ୱିଗୁଣିତ କରିଦେଉଛି। ବିଶେଷ କରି ପାଣିପାଗ ବିଭାଗ ତରଫରୁ ବିଭିନ୍ନ ସମୟରେ ମୌସୁମୀ ଏବଂ ଲଘୁଚାପ ବର୍ଷାଜନିତ ତଥ୍ୟ ବାରମ୍ବାର ଫେଲ ମାରୁଥିବାରୁ ଚାଷୀ ଆତଙ୍କିତ ହୋଇପଡିଛି।
ଅଣଜଳସେଚିତ ଉଲୁଣ୍ଡା ବ୍ଲକର ଚାଷୀ ପ୍ରାୟତଃ ବୁଣାଧାନ ଚାଷ ଉପରେ ଭରସା ରଖି ଚାଷ କାର୍ଯ୍ୟ କରୁଥିବା ବେଳେ ବିଗତ ୨ସପ୍ତାହ ଧରି ବର୍ଷାଅଭାବ ସହ ମୁଣ୍ଡଫଟା ଖରା ଯୋଗୁଁ ଗଜା ମରୁଡି ପରିସ୍ଥିତି ଦେଖାଦେଲାଣି। ଅନ୍ୟପକ୍ଷେ ଜମିକୁ ପାଣି ମଡାଇବାର କୌଣସି ସାଧନ ନଥିବା ହେତୁ ନିରୂପାୟ ହୋଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ପୁଣି ବ୍ଲକର ପାଖାପାଖି ୩୦ ପ୍ରତିଶତ ଜମିରେ ରୁଆ ଧାନର ତଳି ଘେରାରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ତଳିଘେରା ସବୁ ପ୍ରଚଣ୍ଡ ଖରାରେ ଫାଟି ଆଁ କରିଥିବା ବେଳେ ପହ୍ଲା ସବୁ ଜଳିଗଲାଣି। ଚଳିତ ୨୦୧୯ ଖରିଫ ପାଇଁ ବ୍ଲକର ସମୁଦାୟ ୨୨୬୫୦ ହେକ୍ଟର ଚାଷ ଜମିରୁ ୧୬୭୯୦ ହେକ୍ଟର ଜମିରେ ଧାନ ଓ ଅବଶିଷ୍ଟ ୫୬୮୦ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ ପାଇଁ କୃଷିବିଭାଗ ତରଫରୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଧାନଚାଷ ହେବାକୁ ଥିବା ୧୬୭୯୦ ହେକ୍ଟର ମଧ୍ୟରୁ ପ୍ରାୟ ୧୦ହଜାର ହେକ୍ଟର ଚାଷ ଜମିରେ ଧାନବୁଣା କାର୍ଯ୍ୟ ସରିଥିବା ବେଳେ ବର୍ଷା ଅଭାବ ଯୋଗୁଁ ବେଉଷଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ତେବେ ଉଲୁଣ୍ଡା ବ୍ଲକରେ ଜୁନ ମାସରେ ହାରାହାରି ବର୍ଷା ୨୧୭.୪ ମିଲି ଓ ଜୁଲାଇ ମାସରେ ୨୧୯.୧୪ ମିଲି ଥିବାବେଳେ ଚଳିତ ବର୍ଷ ଜୁନରେ ୧୫୯.୬ ଓ ଜୁଲାଇ ୨୨ତାରିଖ ପର୍ଯ୍ୟନ୍ତ ୨୦୨.୪ ମିଲି ବର୍ଷା ହୋଇଥିବା ସୂଚନା ମିଳିଛି। ମାତ୍ର ଏହା ସ୍ବଭାବିକ ବର୍ଷାଠାରୁ ବହୁକମ୍‌ ଥିବାହେତୁ ଚାଷ ଅନୁକୂଳ ହୋଇ ନ ପାରି ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇ ପଡି ରହିଛି। ତେବେ ବିଗତ ବର୍ଷମାନଙ୍କରେ ବାରମ୍ବାର ମରୁଡିର ଶିକାରରେ ଚାଷୀର ଅଣ୍ଟା ସଳଖି ନ ଥିବା ସମୟରେ ଏକ ଆସନ୍ନ ମରୁଡି ଚାଷୀକୁଳକୁ ଭୟଭୀତ କରିଦେଇଛି। ସପ୍ତାହକ ଭିତରେ ବଡଧରଣର ବର୍ଷା ନ ହେଲେ ଗଜାଧାନ ସବୁ ଜଳିପୋଡି ନଷ୍ଟ ହୋଇଯିବ ବୋଲି ମରାଲୋଏ ଗ୍ରାମର ନୀରଦ ସୁନ୍ଦର ପୁରୋହିତ, ପଞ୍ଚମହଲାର ଜଶୋବନ୍ତୀ ମାହାର, ଗୌଡଗଁାର ପ୍ରଶାନ୍ତ ପାଣିଗ୍ରାହୀ ପ୍ରମୁଖ ପ୍ରକାଶ କରିଛନ୍ତ।

Share