ଜଳିଗଲା ଡିଜେଲ ଟ୍ୟାଙ୍କର: ଡ୍ରାଇଭର, ହେଲ୍‌ପର ଗୁରୁତର

ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ବାଇପାସ ପଥରବନ୍ଧ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଏକ ଡିଜେଲ ଟ୍ୟାଙ୍କର ଜଳିଯାଇଛି। ଏଥିରେ ଟ୍ୟାଙ୍କର ଚାଳକ ଓ ହେଲ୍‌ପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ପାରାଦୀପରୁ ଡିଜେଲ ନେଇ ଏକ ଟ୍ୟାଙ୍କର(ନଂ-ଓଆର୍‌୦୫ଏଏ୭୨୩୧)ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଉକ୍ତ ସ୍ଥାନରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଟ୍ୟାଙ୍କର ସମ୍ମୁଖ ଭାଗରେ ଥିବା ଚାମ୍ବରରୁ ତେଲ ଲିକ୍‌ ହୋଇ ଏଥିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବାର କିଛି ସମୟ ପରେ ରାସ୍ତାରେ ଯାଉଥିବା ଲୋକେ ଟ୍ୟାଙ୍କର ଚାଳକ ଓ ହେଲ୍‌ପରଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଟାଙ୍ଗୀ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।