ପାଲଲହଡ଼ା, ୧୪ା୪(ଡି.ଏନ.ଏ.)- ପାଲଲହଡ଼ା ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ଛକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଥିବା ୩ ଦୋକାନରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି । ଏଥିରେ ପ୍ରକାଶ ସୋନକର ଓ ଗାୟତ୍ରୀ ସୋନକରଙ୍କ ଦୁଇଟି ଫଳ ଦୋକାନ ସହ ଶଙ୍କର ମେହେରଙ୍କ ଜୋତା ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମଙ୍ଗଳବାର ସକାଳେ ବିଧାୟକ ମୁକେଶ କୁମାର ପାଲ ଏବଂ ବ୍ଲକ ଅଧ୍ୟକ୍ଷ ନବ କିଶୋର ନାୟକ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଦୋକାନୀଙ୍କୁ ୫ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ଭାବେ ପ୍ରଦାନ କରିଥିଲେ। ଏଥିସହ ତୁରନ୍ତ ତଦନ୍ତ କରି ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।