ଜଳେଶ୍ୱରରେ ଏସ୍‌ଟିଏଫ୍‌ର ଚଢ଼ାଉ: ୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର, ୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଝାଡ଼େଶ୍ୱରପୁର ଗ୍ରାମରେ ଭୁବନେଶ୍ୱରରୁ ଆସିଥିବା ଏସ୍‌ଟିଏଫ୍‌ର ଏକ ୧୫ଜଣିଆ ଟିମ୍‌ ଚଢାଉ କରି ଶେଖ ଲାଲବାବୁଙ୍କୁ ଗିରଫ କରିବା ସହ ୩୦ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଶନିବାର ସକାଳେ ଏହି ଟିମ୍‌ ଭଦ୍ରକ ରୁରାଲ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବ୍ରାଉନ୍‌ସୁଗାର ସହ ଗିରଫ କରିବା ପରେ ଜଳେଶ୍ୱରର ଲାଲବାବୁଙ୍କଠାରୁ ବ୍ରାଉନ୍‌ସୁଗାର କିଣି ବ୍ୟବସାୟ କରୁଥିବା ପ୍ରକାଶ କରିଥିଲେ। ପରେ ଏସ୍‌ଟିଏଫ୍‌ ଟିମ୍‌ ଜଳେଶ୍ୱରରେ ପହଞ୍ଚି ଜଳେଶ୍ୱର ଷ୍ଟେଶନ ବଜାର ଅଞ୍ଚଳରେ ଥିବା ଏକ ହୋଟେଲ ପଛପଟୁ ଶେଖ ଲାଲବାବୁଙ୍କୁ ବ୍ରାଉନ୍‌ସୁଗାର ସହ ଧରିବାରେ ସଫଳ ହୋଇଥିଲେ। ଜବତ ପରେ ଏସ୍‌ଟିଏଫ୍‌ ଟିମ୍‌ ଗିରଫ ଲାଲବାବୁଙ୍କୁ ଝାଡ଼େଶ୍ୱରପୁରସ୍ଥିତ ଘରକୁ ମଧ୍ୟ ଖାନତଲାସୀ କରିଥିବା ଜଣାପଡ଼ିଛି। ଏହି ବ୍ରାଉନ୍‌ସୁଗାର ବେପାରରେ ସ୍ଥାନୀୟ ଅଟୋ ମୋବାଇଲ ବ୍ୟବସାୟ କରୁଥିବା କେତେକ ବ୍ୟବସାୟୀ ଏହି କାରବାରରେ ସମ୍ପୃକ୍ତ ଥିବା ଆଲୋଚନା ହେଉଛି। ଚଢ଼ାଉରେ ଡିଏସ୍‌ପି ବୈଳାସିନୀ ପଣ୍ଡା, ଇନ୍ସପେକ୍ଟର ନୀଳକଣ୍ଠ ଦାସ, ବିରଞ୍ଚି ଦାସ ଓ ମନୋଜ ରାଉତ ପ୍ରମୁଖ ସାମିଲ ଥିବା କୁହାଯାଉଛି।