ଜଳେଶ୍ୱରରେ ‘କଳାବତୀ’

ଜଳେଶ୍ୱର,୨୩।୧୦: ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ ଲାଗି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ପଞ୍ଚାୟତର ଆମ୍ବପଞ୍ଜା ଗ୍ରାମର ଚାଷୀ ଶିବନାରାୟଣ ଜେନା ଓ ପୂର୍ଣ୍ଣଚନ୍ଦ୍ର ସାମଲ ଆଗଭର ହୋଇ ଏଥର ପରୀକ୍ଷାମୂଳକ ‘କଳାବତୀ’ଧାନ ଚାଷ ଆରମ୍ଭ କରିଛନ୍ତି। ଏହି ଧାନ ଚାଷର ବିଶେଷତ୍ୱ ହେଉଛି ଏହି କିସମର ଧାନ ଗଛର ରଙ୍ଗଠୁ ନେଇ ଚାଉଳ ଯାଏ ସବୁକିଛି କଳା। ଏହାର ଔଷଧୀୟ ଗୁଣ ରହିଛି। ଶିବନାରାୟଣ ଓ ପୂର୍ଣ୍ଣଚନ୍ଦ୍ର ବରଗଡ଼ ଜିଲାରୁ ଏହି ଧାନର ବିହନ ସଂଗ୍ରହ କରି ନିଜ ଚାଷ ଜମିରେ ଗୋବର, ଗୋମୂତ୍ର, ନିମତେଲ ଓ ନିମପିଡ଼ିଆ ପକାଇ ଚାଷ କରିଛନ୍ତି । ଜୈବିକ ପଦ୍ଧତିରେ ଚାଷ ହେଉଥିବାରୁ ଏହାର ରୋଗପୋକ ନିୟନ୍ତ୍ରଣ ଶକ୍ତି ଅଧିକ। ବହୁତ କମ୍‌ ଖର୍ଚ୍ଚରେ ଏଥିରୁ ଅଧିକ ଅମଳ ପାଇବା ସମ୍ଭବ ହେବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି।
ରାଜ୍ୟର ବିଭିନ୍ନ ଜିଲାରେ କଳାବତୀ ବା କଳାଧାନର ଚାଷ ଆରମ୍ଭ ହୋଇ ଥିବାବେଳେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକରେ ପ୍ରଥମ କରି ଏହି ଚାଷ କରାଯାଇଛି। କଳାବତୀ ଭଳି କଳାମଲ୍ଲୀ, କଳାନମକ ନାମରେ ୩ରୁ ୪ କିସମର କଳାଧାନର ପରୀକ୍ଷଣ ଭିତ୍ତିରେ ଚାଷ କରାଯାଉଛି। କଳାବତୀ ଧାନ ୫ ମାସ ମଧ୍ୟରେ ଅମଳ ହୋଇଥାଏ। ୧ ଏକର ଜମିରୁ ୧୫ରୁ ୧୭ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ଅମଳ ହୋଇଥାଏ। ଏହି ଧାନର ଚାଉଳରେ ମଧୁମେହ ଓ ପୃଷ୍ଟିହୀନତା ଭଳି ରୋଗର ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ। ତେଣୁ ଏହାର ଭଲ ଚାହିଦା ରହିଛି। ଔଷଧୀୟ ଗୁଣ ଯୋଗୁଁ କଳାବତୀ ଚାଉଳ କିଲୋ ପ୍ରାୟ ୨ଶହ ଟଙ୍କାରେ ବିକ୍ରି ହେଉଛି । ଏହି କଳାଧାନ ଚାଷ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହିତ କଲେ ଏବଂ କୃଷି ବୈଜ୍ଞାନିକମାନେ ସହଯୋଗ କଲେ ଚାଷୀମାନେ ବହୁତ ଲାଭବାନ ହୋଇ ପାରିବେ ବୋଲି ଶିବନାରାୟଣ ଓ ପୂର୍ଣ୍ଣଚନ୍ଦ୍ର କହିଛନ୍ତି।

Share