ଜଳେଶ୍ୱର ଆସିବାକୁ ପଞ୍ଜୀକରଣ କଲେ ୫୬୩୮ ଶ୍ରମିକ

ଜଳେଶ୍ୱର, ୩୦ା୪ (ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ୩୫ ପଞ୍ଚାୟତର ପ୍ରାୟ ୨ଲକ୍ଷ ୧୦ହଜାର ଲୋକ ବସବାସ କରନ୍ତି। ଏଥିରୁ ୨୧ହଜାର ବ୍ୟକ୍ତି ଅନ୍ୟ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ବେଳେ ୫ହଜାର ବ୍ୟକ୍ତି ଅନ୍ୟ ଜିଲାରେ ରହି କାର୍ଯ୍ୟ କରି ଆସୁଥିବା ସରକାରୀ ତଥ୍ୟରୁ ପ୍ରକାଶ। ଏହି ୩୫ ପଞ୍ଚାୟତର ୨୦୭ଟି ଗାଁର ୫୬୩୮ ବ୍ୟକ୍ତି ନିଜ ଗାଁକୁ ଫେରିବାକୁ ଅନଲାଇନ୍‌ରେ ପଞ୍ଜୀକରଣ କରିଛନ୍ତି । ଏହି ବ୍ୟକ୍ତିମାନେ ଘରବାହୁଡା ହେଲେ କେତେ ସ୍ଥାନର ଆବଶ୍ୟକ ହେବ ସେନେଇ ପ୍ରଶାସନ ତପତ୍ର ହୋଇଉଠିଛିି। ପୂର୍ବରୁ ପ୍ରତି ପଞ୍ଚାୟତରେ ଅନ୍ୟୁନ ଗୋଟିଏ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୧୦ ବା ୧୫ଜଣଙ୍କ ରହିବାର ବ୍ୟବସ୍ଥା ରହିଥିଲା। ବହୁ ପଞ୍ଚାୟତରେ ୨୦୦ରୁ ଅଧିକ ବ୍ୟକ୍ତି ଏହି ଅସ୍ଥାୟୀ କେନ୍ଦ୍ରରେ ରହିବା ଲାଗି ନାମ ପଞ୍ଜୀକରଣ କରିଛନ୍ତି। ପୂର୍ବରୁ ଖୋଲାଯାଇଥିବା କେନ୍ଦ୍ରଗୁଡିକରେ ରହିବା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । ହାଇସ୍କୁଲରେ ଏପରି କେନ୍ଦ୍ର ଖୋଲାଯିବାର ସିଦ୍ଧାନ୍ତ ହୋଇଥିବା ବେଳେ ସବୁ ବିଦ୍ୟାଳୟରେ ସେପରି ଭିତ୍ତିଭୂମି ନାହିଁ। କିନ୍ତୁ ଜିଲାପାଳଙ୍କ ନିର୍ଦ୍ଦେଶରେ ଗୋଟିଏ ଆକ୍ୱାଗାର୍ଡ, ଗୋଟିଏ ବଡ ଇନ୍‌ଭର୍ଟର କିଣି ଦିଆଯିବାର ବ୍ୟବସ୍ଥା ବିଡିଓ କରୁଥିବା ଜଣାଯାଇଛି। କିନ୍ତୁ ସରପଞ୍ଚମାନେ ଜିଲାପାଳଙ୍କ ଦାୟିତ୍ୱ ପାଇଥିବା ବେଳେ ସେମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଉ ନ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ସେମାନଙ୍କୁ କିପରି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ରଖାଯାଇ ଚିକିତ୍ସା କରାଯାଇପାରିବ ତାହା ପ୍ରଶାସନର ମୁଣ୍ଡ ବ୍ୟଥା ପାଲଟିଛି।