ଜଳେଶ୍ୱର ଷ୍ଟାଡ଼ିୟମ ପୂର୍ଣ୍ଣାଙ୍ଗୀକରଣ ପାଇଁ ୨୦ ଲକ୍ଷ ମଞ୍ଜୁର

ଜଳେଶ୍ୱର, ୮ା୫(ସ୍ବ.ପ୍ର.)-ଦୀର୍ଘ ୧୦ବର୍ଷ ଧରି ଅଧାପନ୍ତରିଆ ଭାବେ ରହିଥିବା ବାଲେଶ୍ୱର ଜିଲା ଜଳେଶ୍ୱର ଷ୍ଟାଡ଼ିୟମକୁ ପୂର୍ଣ୍ଣାଙ୍ଗୀକରଣ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ା ବୁଧବାର ସନ୍ଧ୍ୟାରେ ଜଳେଶ୍ୱର ବିଧାୟକ ଏକ ପ୍ରେସ୍‌ନୋଟ୍‌ ଜରିଆରେ ଜଳେଶ୍ୱର ମ୍ୟୁନିସିପାଲଟିର ଶାନ୍ତିଆ ନିକଟରେ ୨୦୧୦ ମସିହାରେ ଆରମ୍ଭ ହୋଇ ଅଦ୍ୟାବଧି ଅସମ୍ପୂର୍ଣ୍ଣ ହୋଇରହିଥିବା ଏହି ଷ୍ଟାଡିୟମର ପୂର୍ଣ୍ଣାଙ୍ଗୀକରଣ ଲାଗି ସେ ଚେଷ୍ଟିତ ବୋଲି କହିଥିଲେ ା ଏ ସମ୍ପର୍କରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ବିଧାନସଭାରେ କ୍ରୀଡାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଅତିଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ନିବେଦନ କରିଥିଲେ ା ବାଚସ୍ପତି ମଧ୍ୟ ଏନେଇ କ୍ରୀଡାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା
୨୦୦୫ରେ ତତ୍‌କାଳୀନ କେନ୍ଦ୍ର ସାର ଓ ରସାୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଚରଣ ଜେନାଙ୍କ ପ୍ରଚେଷ୍ଟାରେ ରାଷ୍ଟ୍ରୀୟ କେମିକାଲ ଆଣ୍ଡ ଫର୍ଟିଲାଇଜର ବିଭାଗର ନିର୍ଦ୍ଦେଶକ ଉଦୟ ଶଙ୍କର ଝାଙ୍କ ସହମତିରେ ୧କୋଟି ଟଙ୍କା ପ୍ରଦାନ କରାଯାଇଥିଲା ା ଏହି କାର୍ଯ୍ୟର କେତେକ ଅର୍ଥ ହେରଫେର ହୋଇଥିବା ଜଣାଯିବା ପରେ ଭିଜିଲାନ୍ସ ବିଭାଗ ଏହି ମାମଲାକୁ ଗ୍ରହଣ କରିଥିବାରୁ ଏହା ଅଦ୍ୟାବଧି ଅଧାପନ୍ତରିଆ ଭାବେ ପଡିରହିଛି। ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କୁ ଉକ୍ତ ଷ୍ଟାଡିୟମର ସବିଶେଷ ତଥ୍ୟ ତଥା ପ୍ଲାନ ଏବଂ ଏଷ୍ଟିମେଟ କରିବାକୁ ପାତ୍ର କହିଥିଲେ। ଷ୍ଟାଡିୟମ ପୂର୍ଣ୍ଣୀଙ୍ଗୀକରଣ ଲାଗି ୨୦ଲକ୍ଷ ଟଙ୍କା ମଞ୍ଜୁର କରାଇଥିବାରୁ ରାଜ୍ୟ ବିଜୁ ଜନତାଦଳ କାଉନ୍‌ସିଲ ସଦସ୍ୟ ପ୍ରତୀପ କୁମାର ପ୍ରଧାନ, ନଗର ସଭାପତି ସୁରଜିତ୍‌ ଘୋଷ, ନଗର ଯୁବ ସଭାପତି ସଞ୍ଜୀବ ପାଳ, ନଗର ସଭାନେତ୍ରୀ ସତ୍ୟବତୀ ଗିରି, ଅବଦୁଲ ରହିମ୍‌, ପୂର୍ବତନ କାଉନ୍‌ସିଲର ବିଜୟ କାମିଳା, ଅର୍ଚ୍ଚନା ଗିରି, ଆନନ୍ଦ କର, ଗୋବିନ୍ଦ୍ର ସାହୁ ଓ ରଣ୍ଟ ବ୍ରହ୍ମ ପ୍ରମୁଖ ବିଧାୟକ ପାତ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ା