ଜଳ ଓ ବିଜୁଳି ଅଭାବ ଦୂର କରିବ ଉଦୟପୁର ଆଇଆଇଏମ୍‌ କ୍ୟାମ୍ପସରେ ଥିବା କୃତ୍ରିମ ହ୍ରଦ

ଆରାବଳୀ ଅବବାହିକାରେ ୩୭୩ ଏକର ପରିମିତ ଜାଗାରେ ଦେଶର ସବୁଠୁ ବଡ଼ ଆଇଆଇଏମ୍‌ କ୍ୟାମ୍ପସ ରାଜସ୍ଥାନର ଉଦୟପୁରରେ ରହିଛି। ଏହି କ୍ୟାମ୍ପସ ମଧ୍ୟରେ ୫ଟି କୃତ୍ରିମ ହ୍ରଦ ରହିଛି। ଏହି ହ୍ରଦରେ ୨୦ କୋଟି ଲିଟର ବର୍ଷାଜଳ ସଂରକ୍ଷଣ କରି ରଖାଯାଇପାରିବ। ଏହା ଏକ ଇକୋ ଫ୍ରେଣ୍ଡ୍‌ଲି କ୍ୟାମ୍ପସ। ଯାହା ବିଜୁଳି ଏବଂ ପାଣିର ଅଭାବ ଦୂର କରିବ। ଆର୍କିଟେକ୍ଟ ଅବାସୀ କିକାଲିଙ୍କ ମତରେ, ଏଠାରେ ୪ଟି ହ୍ରଦ ତିଆରି ସରିଛି। ଖୁବ୍‌ଶୀଘ୍ର ଆଉ ଗୋଟିଏ ତିଆରି କରାଯିବ। ଅବାସୀ କୁହନ୍ତି, ସଂସ୍ଥାନର କ୍ୟାମ୍ପସ ଓ୍ବାଟର ସିଷ୍ଟମ ସହିତ ଆଉ ଏକ ବିଶେଷତ୍ତ୍ୱ ରହିଛି। କ୍ୟାମ୍ପସ ମଧ୍ୟକୁ ଇନ୍ଧନଚାଳିତ ଯାନଗୁଡ଼ିକ ଚଳାଚଳ ପ୍ରତି ନିଷେଧାଦେଶ ଜାରି କରାଯାଇଛି। ଇନ୍ଧନଚାଳିତ ଗାଡ଼ିଗୁଡ଼ିକ ବାହାରେ ପାର୍କିଂ କରିପାରିବେ। ଏଥିସହିତ ଏହା ନୋ ପଲିଥିନ୍‌ ଜୋନ୍‌ ହୋଇଥିବାରୁ କଟକଣା ରହିଛି। ଆଇଆଇଏମ୍‌ କ୍ୟାମ୍ପସ ପାହାଡ଼ ପାଦଦେଶରେ ହୋଇଥିବାରୁ ବର୍ଷାପାଣି ଝରି ତିଆରି କରାଯାଇଥିବା କୃତ୍ରିମ ହ୍ରଦରେ ସିଧା ପଡ଼ିବ। ଜଳ ସଂରକ୍ଷଣ ପାଇଁ ଏମିତି କାର୍ଯ୍ୟ କରାଯାଇଛି, ଗୋଟିଏ ବୁନ୍ଦା ବର୍ଷା ପାଣି ଏଠାରେ ନଷ୍ଟ ହେବ ନାହିଁ। ହ୍ରଦରେ ପାଣି ପହଞ୍ଚିବା ପୂର୍ବରୁ ଫୁରାଟ ସିଷ୍ଟମରୁ ଫିଲ୍‌ଟର ହୋଇଆସିବ। ଏହାକୁ ବର୍ଷସାରା ବ୍ୟବହାର କରାଯାଇପାରିବ।

Share