ଜଳ ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ: ଆଣ୍ଠୁଏ ପାଣିରେ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର, ଶିକ୍ଷାବିତ୍‌

ନିରାକାରପୁର,୧୦ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ସରକାରୀ ଏକାଡେମୀ(ଉଚ୍ଚ ବିଦ୍ୟାଳୟ) ଏବେ ଜଳ ଘେର ମଧ୍ୟରେ ରହିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟିହୋଇଛି। ସୂଚନାଯୋଗ୍ୟ, ୧୯୪୮ମସିହାରେ ଏହା ସ୍ଥାପିତ ହୋଇ ଦୀର୍ଘ ୭୦ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ଏହାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟ ପରିସର ମଧ୍ୟରେ ଆଣ୍ଠୁଏ ପରିମାଣର ବର୍ଷା ଜଳ ଜମାହୋଇ ରହିଥିବା ଯୋଗୁ ଶିକ୍ଷୟିତ୍ରୀ/ଶିକ୍ଷକ, ଛାତ୍ରୀଛାତ୍ର, ଅଭିଭାବକମାନେ ଯାତାୟାତବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କିଛିଦିନ ପୂର୍ବରୁ ଏଠାରେ ପାଣି ଜମାରହି ଅସ୍ବାସ୍ଥ୍ୟକର ପରିବେଶ ଓ ସମସ୍ୟା ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ସରପଞ୍ଚଙ୍କ ଦାୟିତ୍ୱରେ ରାସ୍ତାରେ ଡଷ୍ଟ ଓ ମୋରମ୍‌ ବିଛାଯାଇଥିଲା। ଏଥିଯୋଗୁ ସ୍କୁଲ ଛାତ୍ରୀଛାତ୍ର ଓ ଅନ୍ୟମାନେ କିଛିଦିନ ସୁବିଧାରେ ଯାତାୟାତ କରିପାରିଥିଲେ ା ତେବେ ବିଦ୍ୟାଳୟ ନିକଟରେ ଡ୍ରେନେଜ ସୁବିଧା ନ ଥିବାରୁ ବର୍ଷାଜଳ ନିଷ୍କାସିତ ହୋଇପାରି ନ ଥିଲା। ଡଷ୍ଟ ଓ ମୋରମ ମଧ୍ୟ ଧୋଇ ହୋଇଯାଇଥିଲା। ଫଳରେ ବିଦ୍ୟାଳୟ ପରିସର ଖାଲୁଆ ଅଞ୍ଚଳରେ ପରିଣତ ହୋଇ ଦୀର୍ଘଦିନ ଧରି ପାଣି ଜମା ହେବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା। ଏହି ଦୂଷିତ ଜଳ ମଧ୍ୟ ଦେଇ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ଶ୍ରେଣୀଗୃହକୁ ଯିବାକୁ ପଡ଼ୁଛି। ଶ୍ରେଣୀଗୃହକୁ ଯିବାବେଳେ ଓଦା ହୋଇଯିବା ଯୋଗୁ କେତେଜଣ ପିଲା ସ୍କୁଲ ନ ଯାଇ ଘରକୁ ଫେରୁଥିବା ମଧ୍ୟ ଦେଖିବାକୁ ମିଳୁଛି ା ଉକ୍ତ ସମସ୍ୟା ନେଇ ପ୍ରଧାନ ଶିକ୍ଷକ ଉଦୟ ନାଥ ତ୍ରିପାଠୀ କହିଛନ୍ତି, ଉତ୍ତର ପଟେ ଏବେ ଗୋଟିଏ ଗେଟ୍‌ ନିର୍ମାଣ ହୋଇଛି। ଏଠାରୁ କେହି ମାଟି, ପଥର ଆଦି ହାଣି ଦେବା ଫଳରେ ସ୍ଥାନଟି ଖାଲୁଆ ହୋଇ ବିଦ୍ୟାଳୟକୁ ପାଣି ପ୍ରବେଶ କରୁଛି। ବାହାର ଅଞ୍ଚଳର ପାଣି ସ୍କୁଲ ମଧ୍ୟକୁ ପ୍ରବେଶ କରି ଜମା ହୋଇରହୁଛି। ଏ ବର୍ଷ ଡ୍ରେନେଜ୍‌ ବ୍ୟବସ୍ଥା କରାଯିବ। ତେବେ ସରକାରୀ ନିୟମାନୁସାରେ ଏହି ସବୁ କାର୍ଯ୍ୟ ପଞ୍ଚାୟତ ଅଧୀନରେ ଥିବାରୁ ସେମାନେ ଉକ୍ତ କାର୍ଯ୍ୟ କରିବେ। ତେବେ ଏ ନେଇ ମୁଁ ଚେୟାରମ୍ୟାନଙ୍କ ସହିତ ଆଲୋଚନ କରି ପଦକ୍ଷେପ ନେବି ବୋଲି ତ୍ରିପାଠୀ ସୂଚନା ଦେଇଥିଲେ।

Share