ଜଳ ବିଭାଜିକା ଯୋଜନାରେ ପିଏସ୍‌ଏମ୍‌ଇ ଅନୁଦାନ ହେରଫେର ଅଭିଯୋଗ, ତାତିଲେ ଚାଷୀ

କେନ୍ଦୁଝର, ୨୭ା୨ (ସ୍ବ.ପ୍ର.) : ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ବାରିଆ ଅଞ୍ଚଳରେ ପିଏସ୍‌ଏମ୍‌ଇ ଅନୁଦାନ ଅର୍ଥ ଚଞ୍ଚକତା କରି ହେରଫେର କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ କିଛି ଚାଷୀ ଜଳ ବିଭାଜିକା ପିଡି କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ଚାଷୀଙ୍କୁ ସହାୟତା ରାଶି ମିଳୁ ନ ଥିବା ଅଭିଯୋଗ ହୋଇଛି। ଏପରକିି କାୈଣସି ପଦକ୍ଷେପ ନିଆ ନ ଯିବାରୁ ଚାଷୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଏ ନେଇ ବାରମ୍ବାର ଅଭିଯୋଗ କରି ନୟାନ୍ତ ହେବା ପରେ ଗୁରୁବାର ଉକ୍ତ ଅଞ୍ଚଳର ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଜବାବ ମାଗିଥିଲେ। ହେଲେ ଜିଲାପାଳ ଅନୁପସ୍ଥିତ ଥିବା ଜାଣିବା ପରେ ସେମାନେ ଜଳ ବିଭାଜିକା କାର୍ଯ୍ୟାଳୟକୁ ମଧ୍ୟ ଯାଇଥିବା ଜଣାପଡ଼ିଛି।

ମିଳିଥିବା ଅଭିଯୋଗ ଅନୁସାରେ, ସ୍ଥାନୀୟ ଜଳ ବିଭାଜିକାର ଡବ୍ଲୁଏମ୍‌ଟି ରେବତୀ ରମଣ ବେହେରା, ବାଲିପଶି ଜଳବିଭାଜିକା କମିଟିର ସଭାପତି ଜାନକୀ ମହାନ୍ତ ଓ ସମ୍ପାଦକ ସୁବାଷ ମହାନ୍ତ ଗତବର୍ଷ ସେପ୍ଟେମ୍ବର ମାସରେ ଝୁମ୍ପୁରା ବ୍ଲକ ସୀତାରାମପୁର, ଗୋବିନ୍ଦପୁର, ବାଲିପଶି ଗ୍ରାମର ଚାଷୀଙ୍କ ଘରକୁ ଯାଇ ଚାଷୀଙ୍କ ଫଟୋ ଉଠାଇ ସେମାନଙ୍କର ଆଧାରକାର୍ଡ, ପାସବୁକ୍‌ ଓ ପଟ୍ଟାର ନକଲ ସଂଗ୍ରହ କରିଥିଲେ। କ’ଣ ପାଇଁ ଏହା ନିଆଯାଉଛି ବୋଲି ଚାଷୀମାନେ ପଚାରିବାରୁ ଜଳ ବିଭାଜିକାର ଚାଷୀଙ୍କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପାସବୁକ୍‌କୁ ଆସିବ ବୋଲି କହିଥିଲେ। କିନ୍ତୁ ଏହି ଅର୍ଥ କୌଣସି ଚାଷୀଙ୍କୁ ମିଳି ନ ଥିଲା। ଅପରପକ୍ଷରେ ଉପରୋକ୍ତ ଗ୍ରାମର କେତେକ ଚାଷୀଙ୍କ ଆକାଉଣ୍ଟକୁ ୩୦ହଜାର ଟଙ୍କା ଲେଖାଏ ସହାୟତା ରାଶି ଆସିଥିବା ଜଣାପଡିଥିଲା। କିନ୍ତୁ ସେହି ଟଙ୍କାକୁ ଜଳ ବିଭାଜିକା କମିଟିର ସଭାପତି ଓ ସମ୍ପାଦକ ଚଞ୍ଚକତା କରି ଚାଷୀଙ୍କୁ ଜଳ ବିଭାଜିକା ତରଫରୁ ଏହି ଟଙ୍କା ଆସିଛି ବୋଲି ନ ଜଣାଇ ଏହା ତାଙ୍କର ବ୍ୟକ୍ତିଗତ ଟଙ୍କା କହି କେତେକ ଚାଷୀଙ୍କ ପାସବୁକ୍‌ରୁ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏହି ଅର୍ଥ ପିଏସ୍‌ଏମ୍‌ଇ ଫଣ୍ଡରୁ ଜଳ ବିଭାଜିକା ଯୋଜନାରେ ଆସିଥିବା ଚାଷୀମାନେ ଜାଣିବା ପରେ ଜଳ ବିଭାଜିକାର ସଭାପତି ଓ ସମ୍ପାଦକଙ୍କୁ ପଚାରିବାରୁ କାହାରି ଆକାଉଣ୍ଟକୁ ଟଙ୍କା ଆସିନାହିଁ । ଜଳ ବିଭାଜିକା ଟଙ୍କା ଆସିବା ସମ୍ପର୍କରେ ଆମେ କିଛି ଜାଣିନାହୁଁ ବୋଲି କହିଥିଲେ। ଏଥିରେ ସନ୍ଦେହ କରି ଏହାର ସତ୍ୟାସତ୍ୟ ବିଷୟରେ ତଦନ୍ତ କରିବାକୁ ଜିଲାପାଳଙ୍କ ନିକଟରେ ଆଗରୁ ବାରମ୍ବାର ଅଭିଯୋଗ କରିଥିଲେ ା ତେବେ କେହି ଶୁଣୁ ନ ଥିବାରୁ ଏଭଳି ପଦକ୍ଷେପ ନେଇଥିବା ଚାଷୀମାନେ କହିଛନ୍ତି। ଅଭିଯୋଗର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।