ଇଂ. ବିଦ୍ୟାଧର ପଣ୍ଡା
ସନ୍ଧ୍ୟା ଭାଉଜଙ୍କ ବାପଘର ବାଲିସାହି, ସାପୁଆ ନଦୀକୂଳରେ। ପ୍ରଭାତଭାଇ ଘର ମେଘା, ମୁଣ୍ଡିଆ ଉପରେ। ବାପଘରେ ଥିଲାବେଳେ ସନ୍ଧ୍ୟା ଭାଉଜ ଦିନକୁ ତିନି ଚାରିଥର ଗାଧାଏ। ମନହେଲେ ବନ୍ଧତଳକୁ ଗଡିଗଲେ ଅକାତକାତ ପାଣି। ବାରମାସି ନଦୀରେ ସୁଅ ଚାଲେ। ଘରଠାରୁ ମାତ୍ର ଶହେଫୁଟ ଦୂରତାରେ ନଦୀ। କିନ୍ତୁ ବାହାହୋଇ ଶାଶୁଘରକୁ ଗଲାପରେ ଶ୍ୱଶୁର ଏତେ ଏତେ ପାଣି ନଷ୍ଟ କରିବାରୁ ବୋହୂର ଏ ଅଭ୍ୟାସଟିକୁ ଭଲ ପାଇଲେନି। ମେଘା ଗାଁରେ କୂଅଗୁଡା ବହୁତ ଗଭୀର। ଶହେ ଦେଢଶହ ଫୁଟ। ଖରାଦିନେ ପ୍ରାୟ ଶୁଖିଯାଏ। ନିଜ କୂଅ ନ ଶୁଖିଲା ଯାଏ ପାଣିର ମହତ୍ତ୍ୱ କାହାକୁ ଭଲଭାବରେ ଜଣାପଡେନି। ଯେତେବେଳେ ଦାସପୁର ତଳମାଳ ବୁଲାବାବୁଙ୍କ କୂଅରୁ ପାଣିକାଢି ଗରାରେ କାଖେଇ କି ମୁଣ୍ଡରେ ମାଠିଆ ମୁଣ୍ଡେଇ ପାହାଡ ଉଠି ପାଣି ବୋହିବାକୁ ହୁଏ, ସେତେବେଳେ ଯାଇ ପ୍ରତିଟି ପାଣିବିନ୍ଦୁର ମହତ୍ତ୍ୱ ସମସ୍ତେ ବୁଝନ୍ତି। ସନ୍ଧ୍ୟା ଭାଉଜ ତ ମେଘାରେ ନୂଆବୋହୂ। କୂଅ ଶୁଖିଗଲେ ଦୁଇମାଇଲିରୁ ପାଣି ବୋହିବାକୁ ଶାଶୁ ଓ ନଣନ୍ଦ ଯିବେ। ତାଙ୍କର କ’ଣ ଚିନ୍ତା। ହେଲେ ଶ୍ୱଶୁର ଏମିତି ପାଣି ନଷ୍ଟ ଦେଖି ପୁଅକୁ କହିଲେ, ବୋହୂକୁ ସହରକୁ ନେଇ ଭଡାଘର ଦେଖି ରୁହ। ଶାଶୁର ବି ଏକାକଥା। ପ୍ରଭାତଭାଇ ବି ଶେଷରେ ସେଇଆ କଲା।
ଆଠଗଡ ସହରରେ ପ୍ରଥମେ ଆସି ମୁଣ୍ଡିଆ ଉପର ହାଉସିଂ ବୋର୍ଡ କଲୋନିରେ ଭଡାଘରଟିଏ ନେଲେ। ଗୋଟିଏ ବିଲ୍ଡିଂ, ତଳେ ଦୁଇଜଣ ଭଡାଟିଆ ଉପରେ ଦୁଇଜଣ, ଏମିତି ଚାରିଜଣ ଭଡାଟିଆଙ୍କ ପାଇଁ ବିଜୁଳି ମିଟର ଗୋଟିଏ। ଯାହା ବିଲ୍ ଆସୁଥିଲା ଚାରିଭାଗ କରି ମିଳିମିଶି ଆଗରୁ ପୈଠ କରୁଥିଲେ। ଗତମାସରେ ସମୁଦାୟ ବିଲ୍ ଆସିଥିଲା ଷୋଳଶହ, ଜଣକା ଚାରିଶହ ଟଙ୍କା ଲେଖାଏ ଭାଗ ପଡିଥିଲା। ପ୍ରଭାତଭାଇ ପରିବାର ଆସି ରହିବାର ମାସକପରେ ପ୍ରଥମଥର ପାଇଁ ବିଜୁଳି ବିଲ୍ ଆସିଲା ଚାରି ହଜାର। ପଡ଼ିଶାଘର ଲୋକେ ଆଶ୍ଚର୍ଯ୍ୟ। ସମସ୍ତେ ଭାବିଲେ ମିଟର ଖରାପ ହେଲା ନା କ’ଣ! କୁନ୍ଥୁକୁନ୍ଥୁ ହୋଇ ଭରିଲେ ସିନା କିନ୍ତୁ ମନ ଅଶାନ୍ତି ରହିଲା। ସମସ୍ତେ ସମସ୍ତଙ୍କୁ ଜଗିଲେ। ଛାତ ଉପରେ ସନ୍ଧ୍ୟା ଭାଉଜଙ୍କର ପ୍ରତିଦିନ ଆଠ ନଅହଳ ପୋଷାକ ସଫାହୋଇ ଶୁଖିବାର ସମସ୍ତଙ୍କ ନଜରକୁ ଆସିଲା। ସମସ୍ତେ ଅଭିଯୋଗ କରିବାରୁ ଘରମାଲିକ ଜୟୀବାବୁ ଆସି ଦିନେ ପ୍ରଭାତବାବୁଙ୍କୁ ପଚାରିଲେ, ” କ’ଣ ଲଣ୍ଡ୍ରି ବ୍ୟବସାୟ ଆରମ୍ଭ କଲଣି! ତୁମର ତ ଛୁଆଙ୍କୁ ମିଶେଇ ସର୍ବମୋଟ ଛଅଜଣ। ସବୁଦିନେ ନଅହଳ ପୋଷାକ କାହାର ସଫାକରି ଛାତରଶିରେ ଶୁଖାଉଛ?“ ମାଲିକ କହିଲା, ତୁମେ ଘର ଛାଡିଦିଅ। ଦୁଇମାସ ପରେ ପ୍ରଭାତ ଭାଇ ସନ୍ଧ୍ୟା ଭାଉଜଙ୍କୁ ଧରି ଗଦାସାହି ଟୁବୁଲାବାବୁଙ୍କ ଘରକୁ ସିଫ୍ଟ କରିଗଲେ। ଘର ମାଲିକମାନେ ସମସ୍ତେ ନିଜ ନିଜର ଘର ବିଷୟରେ ଅବଗତ। ପୂର୍ବରୁ ହାରାହାରି ବିଜୁଳି ବିଲ୍ ଚାରିଶହରୁ ଛଅଶହ ଟଙ୍କା ଭିତରେ ଆସେ। ଏମାନେ ରହିଲା ମାସ ଦୁଇହଜାର ଟଙ୍କା ଅଧିକ ଆସିବାରୁ ଅଲଗା ବିଜୁଳି ମିଟରଟିଏ ଲଗେଇ ଯାହା ପ୍ରକୃତଦେୟ ତାଙ୍କଠାରୁ ଆଦାୟ କଲେ। ହେଲେ ଟୁବୁଲାବାବୁ ଡରିଲେ। ଆଗକୁ ଖରାଦିନ ଆସୁଛି, ଯଦି ଏଇ ହିସାବରେ ଏମାନେ ପାଣି ଖର୍ଚ୍ଚକଲେ ତେବେ ଆମ ବୋର୍ ଶୁଖିଯିବ। କାହାକୁ ବି ଏଠି ପାଣି ମିଳିବନି। ସିଏ ଯାହିତାହି ତିନିମାସ ଆଡ୍ଜଷ୍ଟ କରି ପ୍ରଭାତବାବୁଙ୍କୁ ଘରଛାଡିବାକୁ କହିଲେ।
ଆଗରୁ ଟିକେ ରକ୍ଷାଥିଲା। ଏବେ କରୋନା ପାଇଁ ଟିଭିରେ ପ୍ରଚାର ହେବାଦିନଠାରୁ ପ୍ରତିଘଣ୍ଟାରେ ମୋଟରଚଲେଇ ପାଣି ଉଠେଇବାକୁ ପଡୁଛି। ସନ୍ଧ୍ୟା ଭାଉଜ ନଳଖୋଲା କରି ନିଜେ କାଖଯାଏ ଦଶଥର ଧୋଇଲା ପରେ ଚାରିଛୁଆଙ୍କୁ ଜଣକ ପରେ ଜଣେ ଧୋଇବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏମିତି ପାଣିନଳଟି ପଚିଶ ମିନିଟ୍ଯାଏ ଲଗାତର ଚାଲୁଛି। ପ୍ରଭାତବାବୁ ବାହାରକୁ ଗଲେ ଆଇଲେ ତାଙ୍କ ପିନ୍ଧାପୋଷାକ ଧୁଆଯାଉଛି, ସିଏ ନିଜେ ବି ଗାଧୋଉଛନ୍ତି। ଶୁଚିବାଇ ରୋଗ ପ୍ରଭାବରେ ଯଦି କିଏ ତାଙ୍କ ବାହାର ଲୁହାଫାଟକରେ ହାତ ଲଗେଇଦେଲା ତେବେ ସନ୍ଧ୍ୟା ଭାଉଜ ଗୋଟିଏ ବାଲ୍ଟିପାଣିରେ ପୋଷେସର୍ଫଏକ୍ସେଲ୍ ଗୋଳେଇ ପୋଛାମାରିବାକୁ ଫାଟକ ପାଖରେ ତୁରନ୍ତ ହାଜର ହୋଇଯାଉଛନ୍ତି। ପାନିଆଟିଏ ମୁଣ୍ଡ କୁଣ୍ଡଉ କୁଣ୍ଡଉ ଯଦି ଛୁଆଙ୍କ ହାତରୁ ଖସି ତଳେ ପଡିଗଲା ତେବେ ସାବୁନପାଣିରେ ଧୁଆହେଉଛି, ଆଗପରି ସେମିତି ନଅଦଶ ହଳ ପୋଷାକ ସବୁଦିନେ କଚା ଚାଲିଛି। ଦିନେ ବଡଝିଅ ତଳେ ବସି ଚିତ୍ରାଙ୍କନ କରୁଥିବାର ସନ୍ଧ୍ୟାଭାଉଜ ଦେଖିଲାପରେ ତା’ର ସେହି ଚିତ୍ରାଙ୍କନ ଖାତାଟିକୁ ନେଇ ସର୍ଫପାଣିରେ ବୁଡେଇଦେଲେ। ଝିଅ ହାଁ ହାଁ କରୁ କରୁ କଥା ସରିଲାଣି। ପାଣିରୁ ଉଠେଇ ଶୁଖେଇବାକୁ ନେଲାବେଳକୁ ଭିତର ଚିତ୍ରଗୁଡିକ ସବୁ ମଡର୍ନ ଆର୍ଟ ହୋଇ ପୃଷ୍ଠାଗୁଡିକ ଛିଣ୍ଡି ପଡୁଥାଏ। ପ୍ରଭାତଭାଇ ଏସବୁ ଚଳେଇନେଉଛନ୍ତି।
ଝିଅଦୁଇଟା ପଛକ ପଛ କଦଳିଗଛ ପରି ବଢୁଛନ୍ତି। ତା’ପରେ ଆମେମାନେ ଶିକ୍ଷିତ ହୋଇ ଯଦି ଏମିତି ମଧୁରଜଳ ଭଣ୍ଡାର ନଷ୍ଟକରିବା ତେବେ ସଂସାର ବଞ୍ଚିବ କେମିତି! ଗୋଟିଏ ଛୋଟିଆ ହିସାବ। ଭାରତରେ ଶହେ ଛବିଶ କୋଟି ଲୋକ। ତେବେ ଦିନରେ ଛଅଥର ହାତଧୋଇଲେ, ଥରକୁ ଦୁଇ ଲିଟର ହିସାବରେ ଜଣକା ବାର ଲିଟର। କୋଟିଏ ଲୋକଙ୍କ ପାଇଁ ଅଧିକ ବାରକୋଟି ଲିଟର ମଧୁରଜଳ ଜଳ ଆମେ କେବଳ କରୋନା ସହ ଲଢିବା ପାଇଁ ଦୈନିକ ଏବେ ଅଧିକ ଖର୍ଚ୍ଚ କରୁଛେ। ଆମେ ଜାଣୁ ଜଳ ହିଁ ଜୀବନ। ବିଶ୍ୱ ଜଳରୁ ହିଁ ସୃଷ୍ଟି ଏବଂ ସତୁରି ପ୍ରତିଶତ ଜାଗା ଆମର ଜଳଦ୍ୱାରା ପୂର୍ଣ୍ଣ। କିନ୍ତୁ ତନ୍ମଧ୍ୟରୁ ବହୁତ କମ ପ୍ରତିଶତ ହେଲା ମଧୁର ଜଳ, ଯାହା କି ଆମର ପିଇବା, ଗାଧୋଇବା, ରୋଷେଇ କରିବା ଆଦି ଦୈନଦିନ କାର୍ଯ୍ୟରେ ଲାଗେ। ଯେତେବେଳେ ଆପଣଙ୍କୁ ବହୁତ ଜୋର୍ରେ ଶୋଷ ହେଉଛି ଯଦି ସୁନାମୁଣ୍ଡାଟିଏ ଦେଇ କୁହାଯାଏ ଛାଡ! ପାଣି କାଲି ପିଇବ। ସେତେବେଳେ ପ୍ରକୃତ ମୂଲ୍ୟ କାହାର ବେଶି ଜଣା ପଡିବ। ମନୁଷ୍ୟ, ପଶୁ ଏବଂ ବୃକ୍ଷଲତା କୀଟପତଙ୍ଗ ଆଦି ସମଗ୍ର ଜୀବଜଗତ ଲାଗି ବାୟୁତତ୍ତ୍ୱ ପରେ ଜୀବନଧାରଣ ପାଇଁ ମୁଖ୍ୟରୂପରେ ଏହି ମଧୁର ଜଳର ହିଁ ଆବଶ୍ୟକତା ବେଶି ଅଛି। ପୂରା ବିଶ୍ୱ ଆଜି କରୋନା ଭୂତାଣୁ ସହ ଯୁଦ୍ଧ କରୁଛି। ବିଶ୍ୱରେ ହିସାବ କଲେ ଦୁଇଶହ ତିନିଦେଶରେ ଏବେ ଛଅଶହ କୋଟି ଲୋକଙ୍କ ପାଇଁ ବାରଶହ କୋଟି ଲିଟର ଅଧିକ ମଧୁରଜଳ ଖର୍ଚ୍ଚ ହେଉଥିବ। ଥରେ ଚିନ୍ତାକଲେ ଯଦି ଜଳର ଅଭାବ ଥାଆନ୍ତା, ତେବେ? ତେଣୁ କରୋନା ଖାଲି ଅର୍ଥ ସଙ୍କଟ ଆଣିବନି, ତା’ ସହ ଆହୁରି ଗୋଟେ ବଡ ସଙ୍କଟ ଆଣି ଆସୁଛି। ତାହାହେଲା ଜଳ ସଙ୍କଟ। କରୋନା ସହ ଲଢିବାକୁ ଦୈନିକ ପଚାଶ ଶହ କୋଟି ଲିଟର ମଧୁରଜଳ ବିଶ୍ୱର ସୀମିତ ଭଣ୍ଡାରରୁ ଖର୍ଚ୍ଚ ହେଉଛି, ସେଥିପ୍ରତି ଆମେ ଯତ୍ନବାନ୍ ହେବା ଆବଶ୍ୟକ ଏବଂ ଯଥାସାଧ୍ୟ ଜଳ ସଂରକ୍ଷଣର ଉପାୟ ଚିନ୍ତା କରିବା ଅନିବାର୍ଯ୍ୟ, ନ ହେଲେ ପୃଥିବୀପୃଷ୍ଠରୁ ଜୀବଜଗତ ନିଶ୍ଚିହ୍ନ ହୋଇଯିବ।
ବି.ଟେକ୍ (ସିଭିଲ), ଏମ୍.ଟେକ୍(ପରିବେଶ), ଏଲ୍ଏଲ୍ବି, ଏଲ୍-୧୭/୧୫, ପଞ୍ଚସଖା ନଗର, ଡୁମୁଡୁମା, ଖଣ୍ଡଗିରି, ଭୁବନେଶ୍ୱର
ମୋ: ୯୪୩୯୧୨୮୦୫୦/ ୭୯୭୮୦୧୯୦୮୧