Categories: ଜାତୀୟ

ଜାଗ୍ରତ ପ୍ରହରୀ ନୌସେନା

ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ନୌସେନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ସଫଳତା ଓ ଉଲ୍ଲେଖନୀୟ କାର୍ଯ୍ୟକୁ ମନେ ପକାଇବା ଲାଗି ପ୍ରତିବର୍ଷ ୪ ଡିସେମ୍ବରରେ ନୌସେନା ଦିବସ ପାଳନ କରାଯାଉଛି। ଦେଶର ଉପକୂଳକୁ ବାହ୍ୟଶତ୍ରୁଙ୍କ ଆକ୍ରମଣରୁ ରକ୍ଷା କରିବାରେ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଅତୀତରୁ ଏବେ ଯାଏ ନୌସେନା ଦେଶ ପାଇଁ ଜାଗ୍ରତ ପ୍ରହରୀ ଭାବେ ରହିଆସିଛି। ଭାରତୀୟ ନୌସେନାର ଆଧୁନିକୀକରଣ ମଧ୍ୟ ହୋଇଛି। ଏବେ ଏଥିରେ ୬୭,୦୦୦ କର୍ମଚାରୀ ରହିଥିବାବେଳେ ୧୫୦ ଜାହାଜ ଓ ଯୁଦ୍ଧ ଜାହାଜ ରହିଛି। ସ୍ବାଧୀନତା ପୂର୍ବରୁ ୧୯୪୪ରେ ପ୍ରଥମେ ରୟାଲ ଇଣ୍ଡିଆନ ନାଭି ଅକ୍ଟୋବରରେ ଆରମ୍ଭ ହୋଇଥିବାରୁ ଏହି ମାସରେ ନୌସେନା ଦିବସ ପାଳନ କରାଯାଇଥିତ୍ଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୫ରେ ନୌସେନା ଦିବସ ୧ ଡିସେମ୍ବରରେ ପାଳନ କରାଯାଇଥିଲା। କିନ୍ତୁ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନା କରାଚୀ ବନ୍ଦର ଉପରେ ଆକ୍ରମଣ କରି ଯେଉଁ ବୀରତ୍ୱ ପ୍ରଦର୍ଶନ କରିଥିଲା ତାହାକୁ ମନେପକାଇବା ପାଇଁ ୪ ଡିସେମ୍ବରରେ ଏହି ଦିବସ ପାଳନ କରାଯାଉଛି। ୪ ଡିସେମ୍ବର ୧୯୭୧ର ଘଟଣା। ଏହି ଦିନ ଭାରତୀୟ ନୌସେନା ତା’ର ଅଦମ୍ୟ ସାହସ ପ୍ରଦର୍ଶନ କରି ଅପରେଶନ ଟ୍ରାଇଡେଣ୍ଟରେ ପାକିସ୍ତାନର ପିଏନ୍‌ଏସ ଖୈବର ସମେତ ୪ଟି ଯୁଦ୍ଧଜାହାଜକୁ ବୁଡ଼ାଇ ଦେଇଥିଲା। ଏଥିତ୍ରେ ପାକିସ୍ତାନର ଶହଶହ ନୌସେନା କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଦିବସରେ ଭାରତ- ପାକିସ୍ତାନ ଯୁଦ୍ଧରେ ମୃତ୍ୟୁହୋଇଥିତ୍ବା ବ୍ୟକ୍ତିଙ୍କୁ ମଧ୍ୟ ସ୍ମରଣ କରାଯାଇଥାଏ। ୨୦୧୯ରେ ଏହି ଦିବସର ସ୍ଲୋଗାନ୍‌ ‘ସାଇଲେଣ୍ଟ୍‌, ଷ୍ଟ୍ରଙ୍ଗ୍‌ ଆଣ୍ଡ୍‌ ସ୍ବିଫ୍ଟ ’ ବା ‘ଶାନ୍ତ ,ମଜଭୁତ ଓ ଦ୍ରୁତଗାମୀ’ ରଖାଯାଇଛି।
ନୌସେନା ଦିବସ ଅବସରରେ ଦେଶର ବହୁ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ନୌସେନା ପକ୍ଷରୁ ସମୁଦ୍ରରେ ସୁଇମିଂ ପ୍ରତିଯୋଗିତା କରାଯାଏ। ଯୁଦ୍ଧ ଜାହାଜଗୁଡିକୁ ଦେଖିବା ଲାଗି ସ୍କୁଲ୍‌ପିଲା ଓ ଅନ୍ୟମାନଙ୍କ ପାଇଁ ଖୋଲା ରଖାଯାଏ। ଇଣ୍ଟରସ୍କୁଲ୍‌ କୁଇଜ୍‌ ପ୍ରତିଯୋଗିତା ଏବଂ ଏକ ହାଫ୍‌ ମାରାଥନ୍‌ ନୌସେନା ଦ୍ୱାରା ଆୟୋଜନ କରାଯାଏ।

Share