Categories: ଖେଳ

ଜାଡେଜାଙ୍କୁ କ୍ଷମା ମାଗିଲେ ମଞ୍ଜରେକର

ମାେଷ୍ଟେର,୧୧।୭(ପି.ଟି.)- ଶେଷରେ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ କ୍ଷମା ମାଗିଛନ୍ତି। ଜାଜେଡାଙ୍କ ବିରୋଧରେ ମନ୍ତବ୍ୟ ଦେବାପରେ ମଞ୍ଜରେକର ବେଶ୍‌ ବିବାଦୀୟ ହୋଇ ପଡିଥିଲେ। ଜାଜେଡା ଏକ ସମ୍ପୂର୍ଣ୍ଣ କ୍ରିକେଟର ନୁହଁନ୍ତି। ତାଙ୍କ ସ୍ଥାନରେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ କିମ୍ବା ବୋଲରଙ୍କୁ ଖେଳାଇବା ଉଚିତ୍‌ ବୋଲି ସେ କମେଣ୍ଟ୍ରି କରିବା ବେଳେ କହିଥିଲେ। ଜାଡେଜା ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ। ଆପଣ ମୋ ବିଷୟରେ ବହୁତ କହିଲେଣି ଓ ମୁଁ ମଧ୍ୟ ବହୁତ ଶୁଣିଲିଣି। ଆପଣଙ୍କଠାରୁ ମୁଁ ଦୁଇଗୁଣ ଅଧିକ ମ୍ୟାଚ୍‌ ଖେଳିଛି। ଏବେ ମଧ୍ୟ ଖେଳୁଛି। ଲୋକଙ୍କୁ ସମ୍ମାନ ଦେବା ଶିକ୍ଷା କରନ୍ତୁ ବୋଲି ଜାଡେଜା ତାଙ୍କ ଜବାବରେ କହିଥିଲେ। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ଜାଡେଜା ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ ସବୁଥିରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଜାଡେଜା ମୋତେ ଭୁଲ ବୋଲି ପ୍ରମାଣିତ କରିଛନ୍ତି। ସେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିଛନ୍ତି। ଜାଜେଡାଙ୍କୁ ନେଇ ମୁଁ ଦେଇଥିବା ମନ୍ତବ୍ୟ ଭୁଲ ସାବ୍ୟସ୍ତ ହୋଇଛି ବୋଲି ମଞ୍ଜେରେକର ସ୍ବୀକାର କରିଛନ୍ତି। ଏବେ ମୋତେ ଜାଡେଜାଙ୍କୁ କ୍ଷମା ମାଗିବାକୁ ପଡିବ। ସଫଳ ପ୍ରଦର୍ଶନ ପରେ ଜାଡେଜା କମେଣ୍ଟ୍ରି ବକ୍ସକୁ ଚାହିଁ ମୋତେ ଖୋଜୁଥିଲେ। ତେବେ ମୁଁ ସେତେବେଳେ ଲଞ୍ଚ୍‌ କରୁଥିଲି। ମୋର ମନ୍ତବ୍ୟ ପାଇଁ ଦୁଃଖିତ ବୋଲି ମଞ୍ଜେରେକର କହିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତ ୬ ଉଇକେଟ ହରାଇ ୯୨ ରନ କରିଥିବା ବେଳେ ଜାଡେଜା ବ୍ୟାଟିଂ କରିବାକୁ ଆସିଥିଲେ। ମହେନ୍ଦ୍ର ସିଂ ଧୋନୀଙ୍କ ସହ ସେ ସପ୍ତମ ଉଇକେଟରେ ୧୧୬ ରନର ଭାଗୀଦାରି ସ୍ଥାପନ କରିଥିଲେ। ତେବେ ୪୮ତମ ଓଭରରେ ସେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍‌ରେ ଛକା ମାରିବାକୁ ଯାଇ ଆଉଟ ହୋଇଥିଲେ। ୪ ଚୌକା ଓ ୪ ଛକା ସହ ଜାଡେଜା ୫୯ଟି ବଲର ସମ୍ମୁଖୀନ ହୋଇ ୭୭ ରନ ସଂଗ୍ରହ କରିଥିଲେ।

Share