Categories: ଖେଳ

ଜାଣନ୍ତି ଶତକ ହାସଲ ପରେ କାହିଁକି ଜିଭ କାଢନ୍ତି ରସ୍‌ ଟେଲର

ହାମିଲଟନ, ୭।୨: ସେଡନ ପାର୍କ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ଅଭିଜ୍ଞ ରସ ଟେଲରଙ୍କ ଅପରାଜିତ ଶତକ ସହାୟତାରେ ଭ୍ରମଣକାରୀ ଭାରତକୁ ୧୧ଟି ବଲ ବାକି ରଖି ୪ ଉଇକେଟରେ ପରାସ୍ତ କରିଛି। ଟେଲର ୮୪ଟି ବଲ ଖେଳି ୧୦ ଚୌକା ଓ ୪ ଛକା ସହ ୧୦୯ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଶତକ ଅର୍ଜନ ପରେ ଟେଲର ନିଜ ଚିରାଚରିତ ଢଙ୍ଗରେ ଜିଭ କାଢି ସେଲିବ୍ରେଶନ କରିଥିଲେ। କେବଳ ଏହି ମ୍ୟାଚରେ ନୁହେଁ, ପୂର୍ବରୁ ମଧ୍ୟ ସେ ଶତକ ଅର୍ଜନ ପରେ ଜିଭ କାଢିଥାନ୍ତି। ଏହା ପଛରେ ଏକ କାରଣ ମଧ୍ୟ ରହିଛି। ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଲର ଜୀବନର ଦ୍ୱିତୀୟ ଏକଦିବସୀୟ ଶତକ ଲଗାଇଥିଲେ। ଏହି ମ୍ୟାଚରେ ବାରମ୍ବାର ସେ ଆଉଟ୍‌ ହେବାରୁ ବର୍ତ୍ତିଥିଲେ। ଅଷ୍ଟ୍ରେଲିଆ ଫିଲ୍ଡରମାନେ ତାଙ୍କ କ୍ୟାଚ୍‌ ଧରିପାରୁ ନ ଥିଲେ। ଯେତେଥର କ୍ୟାଚ୍‌ ମିସ୍‌ ହେଉଥିଲା ସେତେଥର ଟେଲର ଜିଭ କାଢୁଥିଲେ। ଟିଭିରେ ପିତାଙ୍କୁ ଜିଭ କାଢୁଥିବାର ଦେଖି କୁନି ଝିଅ ମ୍ୟାକେଞ୍ଜି ବହୁତ ଖୁସି ହେଉଥିଲେ। ଏହା ଜାଣିବା ପରଠାରୁ ଟେଲର ଶତକ ହାସଲ ପରେ ଜିଭ କାଢନ୍ତି। ଏବେ ତାଙ୍କ ପୁଅ ମଧ୍ୟ ପିତାଙ୍କ ଜିଭ କାଢିବାକୁ ବେଶ୍‌ ପସନ୍ଦ କରୁଛନ୍ତି।

Share