ହିନ୍ଦୁଧର୍ମରେ ବସନ୍ତ ପଞ୍ଚମୀର ମହତ୍ତ୍ୱ ରହିଛି। ଏହିଦିନ ମା’ ସରସ୍ବତୀଙ୍କୁ ଆରାଧନା କରାଯାଏ। ପ୍ରତିବର୍ଷ ମାଘ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ ସରସ୍ବତୀଙ୍କ ପୂଜା କରାଯାଏ। କୁହାଯାଏ, ବସନ୍ତପଞ୍ଚମୀଠାରୁ ଶୀତ ପୃଥିବୀପୃଷ୍ଠରୁ ବିଦାୟ ନେଇଥାଏ। ଋତୁ ବଦଳିବା ସହ ଏହି ପର୍ବର ଗୁରୁତ୍ୱ ମଧ୍ୟ ବଢ଼ିଯାଏ। ଶୀତ ପରେ ଧରାପୃଷ୍ଠକୁ ବସନ୍ତର ଆଗମନ ହୋଇଥାଏ। ପତ୍ରଝଡ଼ା ଦେଇଥିବା ଗଛ ବସନ୍ତ ଆସିବା କ୍ଷଣି ପଲ୍ଲବିତ ହୋଇଉଠେ।
ଉପନିଷଦରେ ବର୍ଣ୍ଣିତ ଏକ କଥା ଅନୁସାରେ, ମହାଦେବଙ୍କ ଆଜ୍ଞାରେ ବହ୍ମା ଜୀବ ଏବଂ ବିଶେଷ ରୂପରେ ମନୁଷ୍ୟର ଯୋନି ରଚନା କରିଥିଲେ। କିନ୍ତୁ ସେ ନିଜେ ସନ୍ତୁଷ୍ଟ ନ ଥିଲେ। ଏଥିପାଇଁ ସେ ସଂକଳ୍ପ ନେଇଥିଲେ ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବେ। ବିଷ୍ଣୁଙ୍କୁ ଆରାଧନା କରିବାରୁ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ବ୍ରହ୍ମାଙ୍କ ସମସ୍ୟା କ’ଣ ବୋଲି ପଚାରିଲେ। ଭଗବାନ ବିଷ୍ଣୁ ନିଜେ ସମସ୍ୟାର ସମାଧାନ କରି ନ ପାରି ମା’ ଦୁର୍ଗାଙ୍କୁ ଆବାହନ କଲେ। ମା’ ଦୁର୍ଗା ପ୍ରସନ୍ନ ହୋଇ ଏକ ସୁନ୍ଦର ସ୍ତ୍ରୀ ବର ରୂପେ ପ୍ରଦାନ କଲେ। ଗୋଟିଏ ହାତରେ ବୀଣା ଏବଂ ଆଉ ଗୋଟିଏ ହାତ ବରମୁଦ୍ରାରେ ଥିଲା। ବାକି ଦୁଇହାତରେ ପୁସ୍ତକ ଏବଂ ବୀଣାର ଆଉ ଗୋଟିଏ ଭାଗ ଧରାଇଦେଲେ। ଏହା ଦ୍ୱାରା ସମସ୍ତ ଜୀବଜନ୍ତୁଙ୍କୁ ବାଣୀ ପ୍ରାପ୍ତ ହୋଇଥାଏ। ଏହା ପରେ ଦେବୀ ଦୁର୍ଗା ବ୍ରହ୍ମାଜୀଙ୍କୁ କହିଲେ, ମୋ’ ତେଜରେ ଉତ୍ପନ୍ନ ହୋଇଥିବା ମା’ ସରସ୍ବତୀ ଆପଣଙ୍କ ସ୍ତ୍ରୀ ହେବେ। ଯେଉଁଥିରେ ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କର ଶକ୍ତି ରହିବ। ଯେମିତି ପାର୍ବତୀ ମହାଦେବଙ୍କ ଶକ୍ତି, ସେମିତି ସରସ୍ବତୀ ଆପଣଙ୍କ ଶକ୍ତି ଭାବରେ ରହିବେ। ଏଥିପାଇଁ ବସନ୍ତ ପଞ୍ଚମୀକୁ ସରସ୍ବତୀଙ୍କ ଆବିର୍ଭାବ ଉତ୍ସବ ଭାବରେ ପାଳନ କରାଯାଏ। ସରସ୍ବତୀଙ୍କୁ ଜ୍ଞାନର ଦେବୀ କୁହାଯାଏ। ମାନବର ବିକାଶ ମା’ ସରସ୍ବତୀଙ୍କ ଆଶୀର୍ବାଦରୁ ହୋଇଥାଏ। ଏଥିପାଇଁ ଛାତ୍ରୀଛାତ୍ରଙ୍କ ଜ୍ଞାନର ବୁଦ୍ଧି ପାଇଁ ସମସ୍ତ ବିଦ୍ୟାଳୟରେ ସରସ୍ବତୀଙ୍କୁ ଆରାଧନା କରାଯାଇଥାଏ।