ଜାଣିଛ ମୁଁ କିଏ

ପ୍ରକାଶ ତ୍ରିପାଠୀ

ତାଜା ଚା’ର ଧ୍ୟାନ ଆକର୍ଷଣକାରୀ ବିଜ୍ଞାପନଟିଏ ଟିଭିରେ ପ୍ରଦର୍ଶିତ ହେଉଛି। ନେତାଙ୍କ ବେଶରେ ଥିବା ଜଣେ ବ୍ୟକ୍ତି ବିମାନବନ୍ଦର କାଉଣ୍ଟରରେ ଧାଡି ଭାଙ୍ଗି ନିଜ ପାଇଁ ଏକ ନିର୍ଦ୍ଦିଷ୍ଟ ବିମାନର ଝରକା ପାଖ ସିଟ୍‌ ଟିକେଟ ମାଗୁଛନ୍ତି। କାଉଣ୍ଟରରେ ଥିବା କର୍ମଚାରୀ ଆଉ ଟିକେଟ ନ ଥିବା ପ୍ରକାଶ କରନ୍ତେ ଉକ୍ତ ନେତା ଉତ୍‌କ୍ଷିପ୍ତ ହୋଇ କହୁଛନ୍ତି- ଜାଣିଛ, ମୁଁ କିଏ। ଶୀଘ୍ର କିଛି କରନ୍ତୁ। ତତ୍‌କ୍ଷଣାତ୍‌ ଉକ୍ତ କର୍ମଚାରୀ ଗୋଟେ ଢୋକ ଚା ପିଇ ଉପସ୍ଥିତ ଯାତ୍ରୀମାନଙ୍କୁ ମାଇକରେ ଅନୁରୋଧ କରି କହୁଛନ୍ତି- ”ଏ ମହାଶୟ ଜାଣନ୍ତି ନାହିଁ ସେ କିଏ। ଦୟାକରି ଏ ମହାଶୟଙ୍କୁ ତାଙ୍କ ପରିଚୟ ଜାଣିବାରେ କେହି ସାହାଯ୍ୟ କରିବେ କି?“ ଲେଖିବା ବାହୁଲ୍ୟ ଯେ, ଉକ୍ତ ବିଜ୍ଞାପନଟି ଆମ ଦେଶର ପ୍ରଭାବଶାଳୀ ଭିଆଇପି ସଂସ୍କୃତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ୨୦୧୭ ଜୁନ ମାସର ଘଟଣା। ଚେନ୍ନାଇର ନାମା ମେଟ୍ରୋ ଗ୍ରୀନଲାଇନର ଉଦ୍‌ଘାଟନ ପାଇଁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆସିବାର ଥାଏ। ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଯିବା ରାସ୍ତାରେ ଅନ୍ୟ କୌଣସି ଯାନବାହନକୁ ଯିବାକୁ ଦିଆଯାଉ ନ ଥାଏ। ନିରାପତ୍ତା ଦୃଷ୍ଟିରୁ କଡାକଡି ନିୟମ ପାଳନ କରୁଥାନ୍ତି ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ। ହଠାତ୍‌ ସାଇରନ ବଜାଇ ଆମ୍ବୁଲାନ୍ସଟିଏ ଆସିଲା ଓ ତାକୁ ମଧ୍ୟ ଅଟକାଇ ଦିଆଗଲା। ଡ୍ୟୁଟିରେ ଥିବା ଅନ୍ୟତମ ସବ୍‌ଇନ୍ସପେକ୍ଟର ଏମ୍‌.ଏଲ. ନିଜଲିଙ୍ଗାପ୍ପା ଆମ୍ବୁଲାନ୍ସ ଭିତରେ ଶୋଇଥିବା ରୋଗୀଙ୍କୁ ଦେଖି ତୁରନ୍ତ ଗାଡିଟିକୁ ରାଷ୍ଟ୍ରପତିଙ୍କ ଯିବା ରାସ୍ତାରେ ଛାଡି ଦେଇଥିଲେ। ଉପରିସ୍ଥ ପୋଲିସ ଅଧିକାରୀମାନଙ୍କ ବିରୋଧ ସତ୍ତ୍ୱେ ନିଜଲିଙ୍ଗାପ୍ପା ଭ୍ୟାନଟିକୁ ଯିବାକୁ ଦେଇଥିଲେ। ସମସ୍ତେ ଭାବି ନେଇଥିଲେ ଯେ ସବ୍‌ଇନ୍ସପେକ୍ଟର ନିଜଲିଙ୍ଗାପ୍ପାଙ୍କ ଚାକିରି ଗଲା। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ଏହି ସେବା ପାଇଁ ତାଙ୍କୁ ପୁରସ୍କୃତ ସହ ସମ୍ବର୍ଦ୍ଧିତ ବି କରାଗଲା। ୨୦୧୦, ଡିସେମ୍ବର ମାସର ଘଟଣା। ନୂଆଦିଲ୍ଲୀର ଅନିଲ ଜୈନଙ୍କର ହଠାତ୍‌ ଛାତିରେ ଯନ୍ତ୍ରଣା ଆରମ୍ଭ ହେଲା। ଆତ୍ମୀୟମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଗୁରୁ ତେଗ୍‌ ବାହାଦୁର ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଗଲେ। ମାତ୍ର ସେଠାରେ ପେସ୍‌ମେକର ନ ଥିବାରୁ ଜୈନଙ୍କୁ ଗୋବିନ୍ଦ ବଲ୍ଲଭ ପନ୍ଥ ହସ୍ପିଟାଲ ନେବାକୁ ପରିବାର ଲୋକେ ବାହାରିଲେ। ମାତ୍ର ରାଜଘାଟଠାରେ ଆମ୍ବୁଲାନ୍ସକୁ ଆଗକୁ ଯିବାକୁ ଦିଆଯାଇ ନ ଥିଲା। କାରଣ ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଗାଡି ଯିବାର ଥିଲା। ପୋଲିସକୁ ବାରମ୍ବାର ଆକୁଳ ନିବେଦନରୁ କୌଣସି ସୁଫଳ ମିଳି ନ ଥିଲା। ପ୍ରଧାନମନ୍ତ୍ରୀଙ୍କ ଗାଡି ଯିବା ପରେ ଆମ୍ବୁଲାନ୍ସ ହସ୍ପିଟାଲକୁ ଯାଇଥିଲା ସତ, ମାତ୍ର ସେଠାରେ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ ହୋଇସାରିଥିଲା। ୨୦୧୭ ନଭେମ୍ବର ମାସ। ଗୌହାଟୀ ବିମାନବନ୍ଦରରେ ବିମାନଯାତ୍ରାର ବିଳମ୍ବକୁ ନେଇ ଜଣେ ମହିଳା ଡାକ୍ତରଙ୍କ ସହ ଜଣେ କେନ୍ଦ୍ରମନ୍ତ୍ରୀଙ୍କର ଯୁକ୍ତିତର୍କ ହୋଇଥିଲା। ସେଦିନ ରାଷ୍ଟ୍ରପତିଙ୍କ ବିମାନ ଅବତରଣ କରିବାକୁ ଥିବାରୁ ତାହାର ଅନେକ ସମୟ ପୂର୍ବରୁ କୌଣସି ବିମାନକୁ ଉଡିବାକୁ ଦିଆଯାଇ ନ ଥିଲା। ଫଳରେ ଉକ୍ତ ମହିଳା ଡାକ୍ତର ତାଙ୍କ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେଇ ପାରି ନ ଥିଲେ। ଉପରୋକ୍ତ ତିନୋଟି ଘଟଣା କେତୋଟି ଉଦାହରଣ ମାତ୍ର ହୋଇପାରେ। ଏହିପରି ଅନେକ ଘଟଣା ବର୍ଷବ୍ୟାପୀ ଘଟିଚାଲେ ଭାରତରେ, ଯାହାକି ପ୍ରମାଣ ଦେଇଥାଏ ଭାରତରେ ଭିଆଇପି ସଂସ୍କୃତି କେତେ ସୁଦୃଢ ଓ ଏହାଦ୍ୱାରା ସାଧାରଣ ଜନତା କେତେ ପ୍ରପୀଡିତ।
ପୋଲିସ ଗାଡିଟିଏ ସାଇରନ ବଜାଇ ଆଗେ ଆଗେ ଯାଉଥିବ। ଗାଡିର ଉଭୟ ପଟରୁ ଝୁଙ୍କିପଡି ପୋଲିସଭାଇ ରୋଲବାଡିରେ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ରାସ୍ତାରୁ ହଟିଯିବାକୁ ନିର୍ଦ୍ଦେଶ ଦେଉଥିବେ। ପୋଲିସଗାଡି ପଛକୁ ପଛ ଅନେକ ଗାଡି ଛୁଟୁଥିବ। ଏଭଳି ଦୃଶ୍ୟ ଆମେ ଅନେକ ସମୟରେ ଦେଖିଥାଉ। ଦେଖି ବୁଝିଯାଉ ଯେ କେହି ଜଣେ ଭିଆଇପି ଗସ୍ତ କରୁଛନ୍ତି। ପୋଲିସର ଭୟରେ ରାସ୍ତାର ଦୁଇକଡକୁ ଘୁଞ୍ଚିଯାଇ ଭିଆଇପିଙ୍କ ଯାତ୍ରାକୁ ସୁରକ୍ଷିତ କରିଦେଉ। ଟିଭିରେ ଦେଖୁ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା। କଳା ପୋଷାକ ପିନ୍ଧି, ହାତରେ ଏ.କେ. ୪୭ ଭଳି ଉନ୍ନତମାନର ରାଇଫଲ ଧରି ସୁରକ୍ଷା କର୍ମୀମାନେ ଆମ ଭିଆଇପିଙ୍କ ଚାରିପଟେ ଘେରି ରହିଥାନ୍ତି। ଭିଆଇପିଙ୍କୁ ସେବା ପ୍ରଦାନ ପାଇଁ ଚବିଶ ଘଣ୍ଟା କର୍ମଚାରୀ ପ୍ରସ୍ତୁତ ରହିଥାନ୍ତି। ସଭାସମିତିରେ ଆଗଧାଡିରେ ଆସନ ସୁରକ୍ଷିତ ଥାଏ। ସେମାନଙ୍କ ପାଇଁ କୌଣସି କାଉଣ୍ଟରରେ ଧାଡିରେ ଠିଆ ହେବାର ଆବଶ୍ୟକତା ନ ଥାଏ। ଚାହୁଁ ଚାହୁଁ ସବୁ ସୁବିଧା ସୁଯୋଗ ପାଖରେ ପହଞ୍ଚିଯାଉଥିବା ପଦବୀଟି ହେଲା ଏହି ଭିଆଇପି। କାହାର ବା ଇଚ୍ଛା ନ ହେବ ଆମ ଦେଶରେ ଭିଆଇପିଟିଏ ନ ହେବାକୁ। ପରିବାରରେ ଜଣେ କେହି ଭିଆଇପି ହୋଇଗଲେ ପରିବାରର ସମସ୍ତ ସଦସ୍ୟ ବି ସମସ୍ତ ସୁବିଧା ସୁଯୋଗ ପାଇବାକୁ ପରୋକ୍ଷ ହକ୍‌ଦାର ବନିଯାନ୍ତି। ଏଭଳି ସୁଯୋଗ ହାସଲ କରିଥିବା ଭିଆଇପିଙ୍କଠାରୁ ଏହି ବ୍ୟବସ୍ଥା କାଢି ନିଆଗଲେ ସେ ବିରୋଧ ନ କରିବ ବା କାହିଁକି। କାରଣ ଭିଆଇପିଙ୍କୁ ମିଳୁଥିବା ବ୍ୟବସ୍ଥାକୁ ଆମ ଦେଶରେ ଆଭିଜାତ୍ୟର ସନ୍ତକ, ସଂଭ୍ରାନ୍ତର ପ୍ରତୀକ ବୋଲି ଧରି ନିଆଗଲାଣି। ‘ଜାଣିଛ ମୁଁ କିଏ, ଜାଣିଛ ମୁଁ କାହା ପୁଅ, ଜାଣିଛ ମୁଁ କାହା ପତ୍ନୀ’ ଭଳି ବାକ୍ୟ ଆମରି ଦେଶରେ ବେଶି ଶୁଣିବାକୁ ମିଳିଥାଏ ନିଜକୁ ଭିଆଇପି ଭାବେ ପ୍ରତିପାଦିତ କରିବା ପାଇଁ। ବ୍ରିଟିଶ ଶାସନ ବେଳେ ଉଚ୍ଚପଦାଧିକାରୀ ପଦରେ ସେମାନଙ୍କ ଦେଶର ଲୋକେ ରହୁଥିଲେ ଓ ଆମ ଦେଶରେ ସେମାନେ ନିଜକୁ ସେତେଟା ସୁରକ୍ଷିତ ମଣୁ ନ ଥିଲେ। ସେଥିପାଇଁ ବିଭିନ୍ନ ଆଦବ କାଇଦା, ସୁରକ୍ଷା ବ୍ୟବସ୍ଥା ତଥା ସେବା ବ୍ୟବସ୍ଥା ସୃଷ୍ଟି କରାଯାଇଥିଲା। ବ୍ରିଟିଶ ଦେଶ ଛାଡି ଚାଲିଗଲେ ସତ, ହେଲେ ସେମାନଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ଏହି ଭିଆଇପି ବ୍ୟବସ୍ଥା ଆଜି ବେଶ୍‌ ହୃଷ୍ଟପୁଷ୍ଚ ହୋଇଯାଇଛି। ନିଜ ଦେଶର ଲୋକଙ୍କ ଆଗରେ ବି ଭିଆଇପିମାନେ ସୁରକ୍ଷିତ ମଣୁନାହାନ୍ତି, ଯଦ୍ଦ୍ବାରା ଭିଆଇପି ସଂସ୍କୃତି ଆଳରେ ନିଜକୁ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର ଭାବୁଛନ୍ତି।
ଭାରତରେ ବର୍ଦ୍ଧିତ ଜନସଂଖ୍ୟା ଭଳି ଭିଆଇପିଙ୍କ ସଂଖ୍ୟା ବି ବିଶ୍ୱରେ ସର୍ବାଧିକ। ଆମେରିକା, ଫ୍ରାନ୍ସ, ବ୍ରିଟେନ, ଜାପାନ, ରୁଷିଆ ଓ ସର୍ବାଧିକ ଜନବହୁଳ ରାଷ୍ଟ୍ର ଚାଇନାରେ ଭିଆଇପିଙ୍କ ସଂଖ୍ୟା ୫୦୦ ଟପି ପାରୁ ନ ଥିଲା ବେଳେ ଭାରତରେ ଭିଆଇପିଙ୍କ ସଂଖ୍ୟା ୫ ଲକ୍ଷରୁ ଊର୍ଦ୍ଧ୍ୱ। ଏମାନଙ୍କ ମଧ୍ୟରେ ରାଜନୀତିଜ୍ଞ, କ୍ରୀଡାବିତ୍‌, ଶିଳ୍ପପତି, ବ୍ୟୁରୋକ୍ରାଟ ଓ ଅନ୍ୟାନ୍ୟ ସେଲିବ୍ରିଟି ଅନ୍ତର୍ଭୁକ୍ତ। ପ୍ରକାଶିତ ତଥ୍ୟ ଅନୁସାରେ ଆମ ଦେଶରେ ଜଣେ ଭିଆଇପିଙ୍କ ପାଇଁ ହାରାହାରି ତିନିଜଣ ପୋଲିସ କର୍ମଚାରୀ ନିଯୁକ୍ତ ଥିଲାବେଳେ ୬୬୩ଜଣ ସାଧାରଣ ନାଗରିକଙ୍କ ପାଇଁ ମାତ୍ର ଜଣେ ପୋଲିସ ଅଛନ୍ତି। ସାଧାରଣ ଜନତାଙ୍କ ପ୍ରଦତ୍ତ କରରେ କିପରି ଭିଆଇପି ସଂସ୍କୃତି ଆମ ଦେଶରେ ତିଷ୍ଠିଛି, ତା’ର ଏକ ପ୍ରମାଣ ମିଳିଥିଲା ୨୦୧୩ରେ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଉପସ୍ଥାପିତ ଏକ ସତ୍ୟପାଠରୁ। କେବଳ ଦିଲ୍ଲୀରେ ଭିଆଇପିଙ୍କ ସୁରକ୍ଷା ଲାଗି ଖର୍ଚ୍ଚ ହୋଇଥିଲା ୩୪୧ କୋଟି ଟଙ୍କା। ସମଗ୍ର ଭାରତରେ ଏ ବାବଦରେ ସରକାରୀ ତହବିଲରୁ କେତେ ଖର୍ଚ୍ଚ ହେଉଛି ତାହା ଏହି ସତ୍ୟପାଠରୁ ସହଜରେ ଅନୁମେୟ।
ଭିଆଇପି ସଂସ୍କୃତି ଉତ୍ତର ଓ ପୂର୍ବ ଭାରତରେ ବ୍ୟାପକ ଦେଖାଯାଇଥାଏ। ବିହାର, ପଶ୍ଚିମବଙ୍ଗ, ଜମ୍ମୁ-କଶ୍ମୀର, ଉତ୍ତରପ୍ରଦେଶ ଓ ପଞ୍ଜାବ ଆଦି ରାଜ୍ୟରେ ଭିଆଇପି ସଂସ୍କୃତିକୁ ସମ୍ଭ୍ରାନ୍ତପଣର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ। ଭାରତୀୟମାନେ ଏହି ସାମନ୍ତବାଦୀ ଢାଞ୍ଚାରେ ଏପରି ଅଭ୍ୟସ୍ତ ହୋଇଗଲେଣି ଯେ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ନିଜ ସାଇକେଲରେ ଅଫିସକୁ ଆସିବା, ବ୍ରିଟେନ ପ୍ରଧାନମନ୍ତ୍ରୀ ଲୋକାଲ ଟ୍ରେନରେ ସିଟ୍‌ ନ ପାଇ ଠିଆ ହୋଇ ଯାତ୍ରା କରିବା, ରୁଷିଆ ରାଷ୍ଟ୍ରପତି ପେଟ୍ରୋଲ ପମ୍ପରେ ନିଜ ଗାଡିରେ ନିଜେ ତେଲ ଭରିବା, ରାଷ୍ଟ୍ରପତି ପଦରୁ ଅବ୍ୟାହତି ନେବା ପରେ ବାରାକ ଓବାମା ହୋଟେଲରେ ଖାଦ୍ୟ ପରଷିବା କାର୍ଯ୍ୟ କରିବା ଅବା ମାସାଚ୍ୟୁସେଟ୍‌ସର ଗଭର୍ଣ୍ଣର ପ୍ରତ୍ୟେକ ଦିନ ସାଧାରଣ ପରିବହନ ବସରେ କାର୍ଯ୍ୟାଳୟକୁ ଯିବା ଖବର ବା ଚିତ୍ର ଦେଖିବା ପରେ ଆମେ ଆଶ୍ଚର୍ଯ୍ୟ ପ୍ରକଟ କରିଥାଉ। କାରଣ ଆମ ଦେଶରେ ଉଚ୍ଚ ପଦବୀ ବା କ୍ଷମତାରେ ଥିବା ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଏପରି ଆଚରଣ ଆମ ପାଇଁ ସ୍ବପ୍ନ। ଆମ ଦେଶରେ କ୍ଷମତାରେ ନ ଥିବା ବେଳେ ବି ଜେଡ୍‌ ସିକ୍ୟୁରିଟି ବଦଳରେ ଏକ୍ସ ସିକ୍ୟୁରିଟି ଯୋଗାଇଦେଲେ ପ୍ରତିବାଦର ସ୍ବର ସଂସଦରେ ଉଠେ। ଜାତୀୟ ରାଜପଥରେ ଥିବା ଟୋଲ ପ୍ଲାଜାଗୁଡିକରେ ଭିଆଇପିଙ୍କ ପାଇଁ ସ୍ବତନ୍ତ୍ର ଲେନ କରାଯିବାକୁ ଦାବି ହୁଏ। ନୂଆ ଭାରତରେ ଭିଆଇପି କେହି ନାହାନ୍ତି। ସମସ୍ତ ନାଗରିକ ଜଣେ ଜଣେ ଭିଆଇପି। ଏପରି ଭାବନା ସୃଷ୍ଟି ହୋଇପାରିଲେ ଆମ ଦେଶ ସବୁକିଛି ହାସଲ କରିପାରିବ ବୋଲି ମନ କୀ ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ପରେ ଅନେକ କିଛି ପରିବର୍ତ୍ତନର ଆଶା ସୃଷ୍ଟି ହୋଇଛି। କିଛି ଅତି ବିଶିଷ୍ଟ ପଦପଦବୀରେ ଥିବା ବ୍ୟକ୍ତିଙ୍କ ଗାଡିକୁ ବାଦ୍‌ଦେଲେ ଅନେକ ଭିଆଇପିଙ୍କ ଗାଡିରୁ ନାଲିବତି କାଢି ନିଆଗଲାଣି ସତ, ହେଲେ ଭିଆଇପି ମାନସିକତା ଦୂର ହୋଇପାରିନାହିଁ। ଅନେକ ଧନଶାଳୀ ଓ ସେଲିବ୍ରିଟି ନିଜ ଖର୍ଚ୍ଚରେ ନିଜର ନିରାପତ୍ତା ବଳୟ ସୃଷ୍ଟିକରି ଭିଆଇପି ଗିରିକୁ ଉପଭୋଗ କରିଚାଲିଛନ୍ତି। ପଦପଦବୀ, କ୍ଷମତା, ଧନସମ୍ପତ୍ତି ନିର୍ବିଶେଷରେ ଆମେ ସମସ୍ତେ ସାଧାରଣ ମଣିଷ। ଏଭଳି ଭାବନା ସୃଷ୍ଟି ହୋଇପାରିଲେ ଭିଆଇପି ସଂସ୍କୃତିର ବିଲୋପ ଘଟିପାରନ୍ତା। ସାଧାରଣ ମଣିଷ ଓ ଭିଆଇପି ମଧ୍ୟରେ ଦୂରତା କମିପାରନ୍ତା। ଯେଉଁ କ୍ଷମତାକୁ ନେଇ ଗର୍ବ କରୁଛୁ, ତାହା ଦିନେ ଚାଲିଯିବ। ଯେଉଁ ଧନକୁ ନେଇ ଅହଂକାର କରୁଛୁ ତାହା ଦିନେ ଆମ ପ୍ରାଣକୁ ରକ୍ଷା କରିପାରିବ ନାହିଁ। ଯେଉଁ ଶରୀରକୁ ନେଇ ଅଭିମାନ କରୁଛୁ, ତାହା ବି ଦିନେ ଆମ ଆତ୍ମାକୁ ବୋହିପାରିବ ନାହିଁ। କୌଣସି ପଦପଦବୀ, କ୍ଷମତା ବା ଧନ ନୁହେଁ, ପବିତ୍ର ମନୋଭାବ ଓ ଉଚ୍ଚ ମାନବୀୟ ଆଚରଣ ହିଁ ମଣିଷକୁ ଭିଆଇପିର ପରିଚୟ ଦେଇଥାଏ। ସେତେବେଳେ ଆଉ କହିବାର ଆବଶ୍ୟକତା ନ ଥାଏ ‘ଜାଣିଛ, ମୁଁ କିଏ’।
ଇମେଲ-prakastripathy09@gmail.com