ଭୁବନେଶ୍ୱର,୨୦।୧(ବ୍ୟୁରୋ): ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପକୁ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ସ୍ବାଗତ କରାଯାଇଛି। ପଛୁଆବର୍ଗର ବିକାଶ ପାଇଁ ସରକାର ଏଭଳି ଦୃଢ ପଦକ୍ଷେପ ନେଇଥିବାରୁ ସୋମବାର ଉକ୍ତ ସମାଜର ରାଜ୍ୟ ସଭାପତି ରଘୁନାଥ ସାହୁଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ସଦସ୍ୟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାରେ ଥିବା ୭୦ ଲକ୍ଷ ତେଲି ଜାତିର ଲୋକଙ୍କୁ ପଛୁଆବର୍ଗର ଜାତି ଭାବେ ଗଣାଯାଏ। ଜାତିଗତ ଗଣନା କରାଗଲେ ବିଭିନ୍ନ ଜାତିର ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ଆଦି ସୂଚନା ମିଳିପାରିବ ବୋଲି ଏହି ସମାଜ ପକ୍ଷରୁ କୁହାଯାଇଛି।