ଜାତିଗତ ପ୍ରମାଣପତ୍ରରେ ଅନିୟମିତତା: ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ବନ୍ତ,୮।୧(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ତୋଫାବିବି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନ ରାଉତରାପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଅନିତାରାଣୀ ସେଠୀଙ୍କର ଜାତିଗତ ପ୍ରମାଣପତ୍ରରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ଲକ ଶିକ୍ଷାଧିକାରୀ ବାସନ୍ତୀ କୁମାରୀ ମିଶ୍ର ଡିସେମ୍ବର ମାସଠାରୁ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କର ଦରମା ବନ୍ଦ କରିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୦୫ରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଉକ୍ତ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ ା ସେତେବେଳେ ସେ ଅନୁସୂଚିତ ଜାତି(ରାଢି) ବର୍ଗର ପ୍ରମାଣପତ୍ର ପ୍ରଦାନ କରିଥିଲେ ା ଅପରପକ୍ଷେ ଗତ ୨୦୦୦ଠାରୁ ସରକାରଙ୍କ ନିୟମ ଅନୁଯାୟୀ ରାଢି ଜାତି ସାଧାରଣ ବର୍ଗରେ ପରିଣତ ହୋଇଥିବା ବେଳେ କିପରି ସମ୍ପୃକ୍ତ ଶିକ୍ଷୟିତ୍ରୀ ଉକ୍ତ ପ୍ରମାଣପତ୍ରରେ ନିଯୁକ୍ତି ପାଇଲେ ସେ ସମ୍ପର୍କରେ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ଉକ୍ତ ପ୍ରମାଣପତ୍ର ସାଧାରଣ ବର୍ଗର ବୋଲି ସୂଚନା ଅଧିକାର ତଥ୍ୟରୁ ଜଣାପଡିବା ପରେ ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀଙ୍କଠାରେ ଅଭିଯୋଗ ହୋଇଥିଲା। ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷାଧିକାରୀ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଜାତିଗତ ପ୍ରମାଣପତ୍ର ତଥ୍ୟ ମଗାଇଥିଲେ ା ପ୍ରମାଣପତ୍ରରେ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ବ୍ଲକ ଶିକ୍ଷାଧିକାରୀ ପ୍ରାଥମିକ ପର୍ଯ୍ୟାୟରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଛନ୍ତି ା ସବିଶେଷ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ମିଶ୍ର କହିଛନ୍ତି ା