ଜାତିପ୍ରଥା ପାଇଁ ମୃତଦେହ ୨ ଦିନ ଘରେ ପଡ଼ି ରହିଲା

ବାରିପଦା ଅଫିସ/ କୁଳିଅଣା,୧୬ା୮(ଡି.ଏନ୍‌.ଏ.)- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଜାତିପ୍ରଥାକୁ କେନ୍ଦ୍ରକରି ଜଣେ ମହିଳାଙ୍କ ମୃତଦେହ ୨ ଦିନ ଘରେ ପଡ଼ି ରହିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ପରିବାର ମଧ୍ୟରେ ଲିଖିତ ଚୁକ୍ତିନାମା କରିବା ପରେ ମୃତଦେହ ସତ୍କାର କରାଯାଇଛି। କୁଳିଅଣା ଥାନା ଅନ୍ତର୍ଗତ କୁଚେଇ ଅଞ୍ଚଳରେ ଏଭଳି ଏକ କୁତ୍ସିତ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳାଙ୍କ ବାପ ଘର ଓ ଶାଶୁଘର ମଧ୍ୟରେ ପୂର୍ବରୁ ଚୁକ୍ତି ହୋଇଥିବା ଜାତିପ୍ରଥା ପଣ ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ମୃତଦେହ ସତ୍କାର ନ କରାଇବାକୁ ବାପଘର ଲୋକେ ଜିଦ ଧରି ବସିଥିଲେ । ଗତ ୧୦ ବର୍ଷ ପୂର୍ବେ କୁଚେଇ ଅଞ୍ଚଳର କାନ୍ଦ୍ରା ସୋରେନ ପଳାଶବଣି ଗାଁର ପାର୍ବତୀ ସୋରେନଙ୍କୁ ଭଲପାଇ ବିବାହ କରିଥିଲେ। ତେବେ ବିବାହ ସମୟରେ ଜାତିପ୍ରଥା ନିୟମ ଅନୁସାରେ କାନ୍ଦ୍ରା ପଣ ଦେଇ ନ ଥିଲେ। ଯେଉଁଥି ପାଇଁ ବିଭିନ୍ନ ସମୟରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ଗତ କିଛି ଦିନ ହେଲା ପାର୍ବତୀଙ୍କ ଦେହ ଅସୁସ୍ଥ ଥିଲା। ଗୁରୁବାର ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୁତ୍ୟୁ ଖବର ଶୁଣି ତାଙ୍କ ବାପଘର ଲୋକେ ଝିଅର ଶାଶୁଘରେ ପହଞ୍ଚିଥିଲେ। ପୂର୍ବରୁ ଦୁଇ ପରିବାର ମଧ୍ୟରେ କଥା ହୋଇଥିବା ଜାତିପ୍ରଥା ପଣ ବିବାଦର ସମାଧାନ ନ ହେଲେ ମୃତଦେହ ସେହିଭଳି ପକାଇ ରଖିବାକୁ ଜିଦ୍‌ ଧରି ବସିଥିଲେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଭଳି ପରିସ୍ଥିତି ଉପୁଜିଥିଲା। ଏହାର ସମାଧାନ ପାଇଁ କାନ୍ଦ୍ରା ୩ ମାସ ସମୟ ମାଗିଥିଲେ। ହେଲେ ତାଙ୍କ କଥାରେ ମୃତ ପାର୍ବତୀଙ୍କ ବାପଘର ଲୋକେ ସହମତ ହୋଇନଥିଲେ। ଫଳରେ ମୃତଦେହ ସତ୍କାର ନ କରି ଘର ଭିତରେ ପକାଇ ରଖାଯାଇଥିଲା।

ଖବରପାଇ ପ୍ରଥମେ କୁଳିଅଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପରିବାରକୁ ବୁଝାସୁଝା କରିଥିଲେ ମଧ୍ୟ ଉଭୟପକ୍ଷ ବୁଝି ନ ଥିଲେ। ଫଳରେ ଦୁଇ ପରିବାର ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଥିଲା। ପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାରିପଦାରୁ ଯାଇ ଏହାର ସମାଧାନ ପାଇଁ ଦୁଇ ପରିବାର ମଧ୍ୟରେ ଏକ ଲିଖିତ ଚୁକ୍ତିନାମା କରାଇଥିଲେ। ଚୁକ୍ତିନାମା ହେବା ପରେ ମୃତଦେହ ବ୍ୟବଛେଦ ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ନିଆଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ସ୍ଥାନୀୟ ସରପଞ୍ଚଙ୍କ ସହଯୋଗରେ ବାରୁଣି ଘାଟରେ ପାର୍ବତୀଙ୍କ ସତ୍କାର କରାଯାଇଥିଲା। ଏଥିନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୨୪/୧୯) ରୁଜୁ ହୋଇଛି।