ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ ମିଳିଲାନି ସମର୍ଥନ

ନୂଆଦିଲ୍ଲୀ,୧୭।୧(ପି.ଟି.):ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବାରେ ବିଫଳ ହୋଇଛି। ତେବେ ଇସ୍‌ଲାମାବାଦର ଏହି ଉଦ୍ୟମକୁ ଚାଇନା ସହାୟତା କରୁଥିବାରୁ ଭାରତ ଏହାର ସମାଲୋଚନା କରିଛି। ବିଶ୍ୱସ୍ତରୀୟ ସହମତିକୁ ବେଜିଂ ଗୁରୁତ୍ୱର ସହ ନେବା ଉଚିତ। ଭବିଷ୍ୟତରେ ଏଭଳି କାର୍ଯ୍ୟରୁ ଚାଇନା ଦୂରେଇ ରହୁ ବୋଲି ନୂଆଦିଲ୍ଲୀ କହିଛି।
ଚାଇନା ସମର୍ଥନରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇବା ଲାଗି ବାରମ୍ବାର ଉଦ୍ୟମ କରିଆସୁଛି। ତେବେ ଏଥିପାଇଁ ସମର୍ଥନ ଯୋଗାଡ଼ କରିବାରେ ଇସ୍‌ଲାମାବାଦ ବିଫଳ ହୋଇଛି। କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ୧୫ ସଦସ୍ୟ ରାଷ୍ଟ୍ର ଅନୁଭବ କରିଛନ୍ତି। ଭାରତ ସପକ୍ଷରେ ସର୍ବାଧିକ ସମର୍ଥନ ମିଳିଥିବାରୁ କଶ୍ମୀର ପ୍ରସଙ୍ଗ ଉଠାଇବା ଲାଗି ୟୁଏନ୍‌ଏସ୍‌ସି ଉପଯୁକ୍ତ ଫୋରମ୍‌ ନୁହେଁ ବୋଲି ସ୍ପଷ୍ଟ ହୋଇଥିତ୍ବା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି। ପାକିସ୍ତାନ ୟୁଏନ୍‌ଏସ୍‌ସିର ଅପବ୍ୟବହାର କରିବାକୁ ଉଦ୍ୟମ କରୁଥିଲା। ଭବିଷ୍ୟତରେ ବିଶ୍ୱସ୍ତରରେ ଏଭଳି ଲଜ୍ଜାଜନକ ପରିସ୍ଥିତିରୁ ନିଜକୁ ଦୂରେଇ ରଖୁ ବୋଲି ବହିର୍ବ୍ୟାପାର ମୁଖପାତ୍ର କହିଛନ୍ତି।
ନିଜର ସବୁଦିିନିଆ ବନ୍ଧୁ ପାକିସ୍ତାନକୁ ସହାୟତା କରିବାକୁ ଯାଇ ଚାଇନା ୟୁଏନ୍‌ଏସ୍‌ସିରେ ବୁଧବାର ସମ୍ପୂର୍ଣ୍ଣ ଏକଘରିକିଆ ହୋଇଯାଇଥିଲା। ଚାଇନାକୁ ବାଦ୍‌ ଦେଲେ ଅନ୍ୟ ସବୁ ସଦସ୍ୟ ରାଷ୍ଟ୍ର କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ମତ ଦେଇଥିଲେ।

Share