Categories: ଖେଳ

ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ୨୦୦ ମିଟର ଫାଇନାଲରେ ଦୂତୀ

ଭୁବନେଶ୍ୱର, ୧୩।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚିରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ଇଭେଣ୍ଟରେ ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ପାଇଥିବା ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ୨୦୦ ମିଟରରେ ମଧ୍ୟ ପଦକର ନିକଟତର ହୋଇଛନ୍ତି। ଶନିବାର ଅନୁଷ୍ଠିତ ୨୦୦ ମିଟର ହିଟ୍‌ରେ ୨୩.୮୯ ସେକେଣ୍ଡ ସମୟ ନେଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ହିଟ ନଂ-୨ରେ ଦୂତୀ ପ୍ରଥମସ୍ଥାନ ଅଧିକାର କରିଥିଲେ। ଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ଆଥଲେଟ୍‌ମାନେ ହେଲେ ଇଞ୍ଚାରା ଏନ.ଏସ (୨୫.୧୦), ପଦ୍ମିନୀ ମୋକାଲେ ଗଣପତି (୨୫.୦୭), ଚନ୍ଦ୍ରଲେଖା ଆନନ୍ଦନ (୨୩.୮୫), ଏମ. ଲିକିଥା(୨୫.୧୩), ଅର୍ଚ୍ଚନା ସୁସେନ୍ଦ୍ରନ (୨୩.୭୭), ହାରିକା ଦେବୀ ଅନ୍ତରାମ (୨୪.୨୮) ଓ ହିମାଶ୍ରୀ ରୟ (୨୫.୮୬ ସେକେଣ୍ଡ)। ଦୂତୀଙ୍କ ୨୦୦ ମିଟର ଫାଇନାଲ ରବିବାର ଅପରାହ୍ନ ୫ଟା ୩୫ରେ ଅନୁଷ୍ଠିତ ହେବ। ଦୂତୀଙ୍କୁ ଝାଡ଼ଖଣ୍ଡ କ୍ରୀଡ଼ାମନ୍ତ୍ରୀ ଅମର କୁମାର ବାଉରି ଶନିବାର ସମ୍ବର୍ଦ୍ଧିତ କରିଛନ୍ତି। ନିଜ ଫେସ୍‌ବୁକ୍‌ରେ ଦୂତୀ ଏହା ପ୍ରକାଶ କରିବା ସହ ଫଟୋ ସେୟାର କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଦୂତୀ ୧୦୦ ମିଟର ସେମିଫାଇନାଲରେ ୧୧.୨୨ ସେକେଣ୍ଡ ସମୟ ନିଜ ନାମରେ ଥିବା ଜାତୀୟ ରେକର୍ଡ ଭାଙ୍ଗିଥିଲେ। ଗତ ଏପ୍ରିଲରେ ଦୋହାଠାରେ ଅନୁଷ୍ଠିତ ଇଭେଣ୍ଟରେ ସେ ୧୧.୨୬ ସେକେଣ୍ଡ ସମୟ ନେଇ ଜାତୀୟ ରେକର୍ଡର ଅଧିକାରିଣୀ ଥିଲେ। ଫାଇନାଲରେ ସେ ସେମିଫାଇନାଲର ପ୍ରଦର୍ଶନକୁ ଦୋହରାଇ ପାରି ନ ଥିଲେ ହେଁ ୧୧.୨୫ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଥିଲେ।

Share