Categories: ଖେଳ

ଜାତୀୟ କରାଟେ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୭।୬(ସ୍ପୋଟର୍‌ସ ବ୍ୟୁରୋ)- ଦିଲ୍ଲୀର ତାଲକୋଟ୍ରା ଇନ୍‌ଡୋର ଷ୍ଟାଡିୟମରେ ସମାପ୍ତ ହୋଇଥିବା ଜାତୀୟ ସବ୍‌ଜୁନିୟର ଓ ସିନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶାରୁ ମୋଟ୍‌ ୪୮ ଜଣ ପ୍ରତିଯୋଗୀ ଓ ୪ଜଣ କୋଚ୍‌ ଅଂଶଗ୍ରଂହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମଧୁପ୍ରିୟା, ରିତେଶ ଓ ଅର୍ପିତା ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଅନୁପମାଙ୍କୁ ରୌପ୍ୟ ମିଳିଥିଲା। ସେହିଭଳି ସୁସ୍ମିତା, ସିନ୍ଧୁ ତନୟା, ଅନୁପମା (ଟିମ୍‌ କାଟା), ତ୍ରିଲୋଚନ ରଣା ଓ ମନୋଜ ବେହେରା ବ୍ରୋଞ୍ଜ ପଦକ ପାଇଛନ୍ତି। ଏହି ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ରବିବାର ରାଜ୍ୟ କରାଟେ ସଂଘ (ଓଏସ୍‌କେଏ)ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ପ୍ରତିଯୋଗୀ ଓ କୋଚ୍‌ମାନଙ୍କୁ ଓଏସ୍‌କେଏ ପକ୍ଷରୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ଓଏସ୍‌କେଏ ଓ ରାଜ୍ୟ କରାଟେ ସଂଘର ସିନିୟର ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରତ୍ୟେକ ପିଲାଙ୍କ ଖର୍ଚ୍ଚ ସହ କୃତୀ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୫୦୦୦ (ସ୍ବର୍ଣ୍ଣ ବିଜେତା), ୪୦୦୦ (ରୌପ୍ୟ) ଓ ୨୦୦୦ (ବ୍ରୋଞ୍ଜ) ଟଙ୍କା ପ୍ରଦାନ କରାଯାଇଥିଲା। ଓଏସ୍‌କେଏର ସିନିୟର ପ୍ରଶିକ୍ଷକ ସେନ୍‌ସେଇ ସୌମ୍ୟରଞ୍ଜନ ଦାସଙ୍କ ତରଫରୁ ପ୍ରତ୍ୟେକ କୃତୀ ପ୍ରତିଯୋଗୀଙ୍କୁ ୧୦୦୦ ଟଙ୍କା ଦିଆଯାଇଥିଲା। ଏହି ପ୍ରତିଯୋଗିତା ସମୟରେ କରାଟେ ଆସୋସିଏଶନ ଅଫ୍‌ ଇଣ୍ଡିଆ (କାଇ) ପକ୍ଷରୁ ରାଜ୍ୟ ସଂଘର ସମ୍ପାଦକ ତଥା କାଇର ଟେକ୍‌ନିକାଲ ଡିରେକ୍ଟର ଡ. ହରିପ୍ରାସଦ ପଟ୍ଟନାୟକଙ୍କୁ ଡାନ୍‌ ତଥା ଇଷ୍ଟଜୋନର ସଭାପତି ପଦ ମିଳିଥିବାରୁ ଓଏସ୍‌କେଏ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

Share