ଜାତୀୟ କୃମି ଦିବସ: କୃମି ଔଷଧ ଖାଇ ୨୬ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ

ଛେଣ୍ଡିପଦା, ୮।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଲିପଟା ରଥସାହି ପ୍ରାଥମିକ ବିଦ୍ୟାଳୟରେ କୃମି ଔଷଧ ଖାଇ ଗୁରୁବାର ୨୬ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି।
ପ୍ରକାଶ ଯେ, ଛେଣ୍ଡିପଦାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୃମି ଔଷଧ ସେବନ ନିମନ୍ତେ ଛେଣ୍ଡିପଦା ପଞ୍ଚାୟତ ସମିତି ସଭାଗୃହରେ ପ୍ରତ୍ୟେକ ବିଦ୍ୟାଳୟରୁ ଜଣେ ଲେଖାଏ ଶିକ୍ଷକଙ୍କୁ ନେଇ ଔଷଧ ସେବନର ପଦ୍ଧତି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଏହା ପରେ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ବିଦ୍ୟାଳୟରେ କୃମିନାଶକ ଔଷଧ ଦିଆଯାଇଥିଲା। ବାଲିପଟା ରଥସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅରୁଣ ପ୍ରଧାନଙ୍କ ନେତୃତ୍ୱରେ ବିଦ୍ୟାଳୟର ୧୫୦ରୁ ଊଦ୍ଧର୍‌ବ ଛାତ୍ରଛାତ୍ରୀଙ୍କୁ କୃମିନାଶକ ଔଷଧ ସେବନ କରିବାକୁ ଦିଆଯାଉଥିବା ବେଳେ କୃମି ଔଷଧ ସେବନ କରିସାରିଥିବା ପ୍ରାୟ ୨୬ ଛାତ୍ରୀଛାତ୍ର ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କ ମଧ୍ୟରେ ୧୭ଜଣ ଛାତ୍ର ରହିଥିବା ବେଳେ ୯ ଛାତ୍ରୀ ଅଛନ୍ତି। ଏହା ଦେଖି ଶିକ୍ଷକମାନେ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ବାଲିପଟା ନୂତନ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Share