Categories: ଖେଳ

ଜାତୀୟ କ୍ରୀଡ଼ା ପୁରସ୍କାର: ଚୟନ କମିଟିରେ ମେରୀକମ୍‌, ବାଇଚୁଙ୍ଗ୍‌

ନୂଆଦିଲ୍ଲୀ, ୮।୮ (ପି.ଟି.)- ଚଳିତ ବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ ଲାଗି ଗୋଟିଏ ମାତ୍ର କମିଟି ଗଠନ କରାଯାଇଛି। ଯେଉଁଥିରେ ୬ଥର ବିଶ୍ୱ ଟାଇଟଲ ବିଜୟିନୀ ଷ୍ଟାର୍‌ ବକ୍ସର ଏମ୍‌.ସି. ମେରୀକମ୍‌ ଓ ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ୍‌ ଭୁତିଆ ସ୍ଥାନ ପାଇଛନ୍ତି। ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମତିଥି ତଥା ଜାତୀୟ କ୍ରୀଡ଼ା ଦିବସ ଭାବେ ପରିଚିତ ଅଗଷ୍ଟ ୨୯ରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ।
ବର୍ଷ ଆମେ ନୂଆ ଚିନ୍ତାଧାରା ସହ ସମସ୍ତ ଶ୍ରେଣୀର ପୁରସ୍କାର ଲାଗି ଗୋଟିଏ ମାତ୍ର ଚୟନ କମିଟି ଗଠନ କରିଛୁ। ଆମେ ଅନୁଭବ କଲୁ ଯେ, ଅଧିକ କମିଟି ଗଠିନ କରିବା ଅନାବଶ୍ୟକ। ଏହାଦ୍ୱାରା ଜଟିଳତା ଓ ଅଯଥା ବିବାଦମାନ ସୃଷ୍ଟି ହୋଇଥାଏ’ ବୋଲି କେନ୍ଦ୍ର କ୍ରୀଡ଼ା ବିଭାଗର ଜନୈକ ଅଧିକାରୀ କହିଛନ୍ତି। ଏହି ୧୨ ଜଣିଆ କମିଟିରେ ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ଜଜ୍‌ ଜଷ୍ଟିସ ମୁକୁନ୍ଦକାମ ଶର୍ମା ଅଧ୍ୟକ୍ଷ ରହିଥିବାବେଳେ କେନ୍ଦ୍ର କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲଣିୟା, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଡିଜି ସନ୍ଦୀପ ପ୍ରଧାନ, ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ ସ୍କିମ (ଟପ୍ସ) ସିଇଓ କମାଣ୍ଡର ରାଜେଶ ରାଜଗୋପାଳନ, ମେରୀକମ୍‌, ଭୁତିଆ, ଭାରତୀୟ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟିକା ଅଞ୍ଜୁମ ଚୋପ୍ରା, ଜଣାଶୁଣା ଲଙ୍ଗ୍‌ ଜମ୍ପର ଅଞ୍ଜୁ ବବି ଜର୍ଜ ଓ ଜାତୀୟ ଟେବୁଲ ଟେନିସ କୋଚ୍‌ କମଳେଶ ମେହଟା ରହିଛନ୍ତି। ଏହାବାଦ୍‌ ଗଣମାଧ୍ୟମ ଜଗତର ଦୁଇଜଣ ଚର୍ଚ୍ଚିତ ଚେହେରା ଟାଇମ୍ସ ଗ୍ରୁପ୍‌ (ଡିଜିଟାଲ)ର ମୁଖ୍ୟ ସମ୍ପାଦକ ରାଜେଶ କଲରା ଓ ପ୍ରସିଦ୍ଧ କ୍ରୀଡ଼ା ଭାଷ୍ୟକାର ଚାରୁ ଶର୍ମା ଏହି କମିଟିରେ ସ୍ଥାନ ପାଇଛନ୍ତି। ପୂର୍ବବର୍ଷ ଅପେକ୍ଷା ଏହି କମିଟି ଚଳିତଥର ଜାତୀୟ କ୍ରୀଡ଼ା ପୁରସ୍କାର ଅନ୍ତର୍ଗତ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର (କୋଚ୍‌ଙ୍କ ପାଇଁ), ଧ୍ୟାନଚାନ୍ଦ ପୁରସ୍କାର (ଲାଇଫ୍‌ଟାଇମ୍‌ ଆଚିଭେମେଣ୍ଟ) ଓ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପାଇଁ କ୍ରୀଡ଼ା ବ୍ୟକ୍ତିବିଶେଷଙ୍କୁ ଚୟନ କରିବେ। ଆସନ୍ତା ସପ୍ତାହର ପ୍ରାରମ୍ଭରେ ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ ଏବଂ ସେହି ସପ୍ତାହର ଶେଷ ଭାଗରେ ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

Share