Categories: ଖେଳ

ଜାତୀୟ କ୍ରୀଡ଼ା ପୁରସ୍କାର: ୨୨କୁ ଘୁଞ୍ଚିଲା ଆବେଦନର ଶେଷ ତାରିଖ, ନିଜକୁ ନୋମିନେଟ କରିପାରିବେ ଖେଳାଳି

ନୂଆଦିଲ୍ଲୀ,୩।୬(ପି.ଟି.): ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନର ଶେଷ ତାରିଖକୁ ଘୁଞ୍ଚାଇବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଆବେଦନ ପାଇଁ ବୁଧବାର ଶେଷ ତାରିଖ ଥିଲା। ତେବେ ଏହାକୁ ଆସନ୍ତା ୨୨ ତାରିଖକୁ ଘୁଞ୍ଚାଇଦିଆଯାଇଛି। ଏଥିସହିତ ଆଥଲେଟମାନେ ନିଜ ନାମ ନୋମିନେଟ କରିପାରିବେ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। କୋଭିଡ-୧୯ ମହାମାରୀ ଓ ଲକ୍‌ଡାଉନ କାରଣରୁ ଉପୁଜିଥିବା ସମସ୍ୟା ପାଇଁ ମନ୍ତ୍ରଣାଳୟ ତରଫରୁ ଡେଡ୍‌ଲାଇନ୍‌ ଘୁଞ୍ଚାଇବା ସହ ନୋମିନେସନ ପାଇଁ ଖେଳାଳିମାନଙ୍କୁ ବିଶେଷ ଅଧିକାର ଦିଆଯାଇଛି। ଲକ୍‌ଡାଉନ୍‌ କାରଣରୁ କର୍ତ୍ତୃପକ୍ଷଙ୍କଠାରୁ ସୁପାରିସ ଆଣିବାରେ ଖେଳାଳିମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜାତୀୟ ଫେଡେରେଶନ ଯେଉଁ ଖେଳାଳିମାନଙ୍କ ନାମ ସୁପାରିସ କରିନାହିଁ ସେମାନେ ନିଜ ଆଡୁ ଆବେଦନ କରିପାରିବେ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଏ ନେଇ ନିୟମରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଆଥଲେଟମାନେ ଏଥିରେ ଲାଭବାନ ହୋଇପାରିବେ।
ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରତିବର୍ଷ ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଅଗଷ୍ଟ ୨୯ ତାରିଖରେ ପ୍ରଦାନ କରାଯାଇଥାଏ। ଏହି ଦିନ ଜାତୀୟ କ୍ରୀଡା ଦିବସ ମଧ୍ୟ ପାଳନ କରାଯାଇଥାଏ। ଜାତୀୟ କ୍ରୀଡ଼ା ପୁରସ୍କାରରେ ରାଜୀବ ଗାନ୍ଧୀ ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ପ୍ରଭୃତି ପୁରସ୍କାର ପ୍ରଦାନ କରାଯାଇଥାଏ।