ନୂଆଦିଲ୍ଲୀ,୧୫ା୬(ପି.ଟି.): ଲଦାଖ ସୀମାକୁ ନେଇ ଚାଇନା ସହ ବିବାଦ ଲାଗି ରହିଥିବାବେଳେ ଜାତୀୟ ଗର୍ବ ଉପରେ ଭାରତ କଦାପି ସାଲିସ କରିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ସ୍ପଷ୍ଟ କରିଦେଇଛନ୍ତି। ଭାରତର ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି ପାଇଛି। ଏହା ଆଦୌ ଦୁର୍ବଳ ରାଷ୍ଟ୍ର ନୁହେଁ ବୋଲି ରାଜନାଥ କହିଛନ୍ତି। ଜମ୍ମୁ-କଶ୍ମୀର ପାଇଁ ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିବା ଅବସରରେ ବିରୋଧୀ ଦଳକୁ ଆଶ୍ୱାସନା ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, ସୀମାକୁ ନେଇ ହେଉଥିବା ଅଗ୍ରଗତି ସମ୍ପର୍କରେ ପାର୍ଲାମେଣ୍ଟ କିମ୍ବା କାହାକୁ ଅନ୍ଧକାରରେ ରଖାଯିବ ନାହିଁ। ଉପଯୁକ୍ତ ସମୟରେ ସବିଶେଷ ତଥ୍ୟ ଜଣାଇ ଦିଆଯିବ।
ପୂର୍ବ ଲଦାଖ ଅନ୍ତର୍ଗତ ପଙ୍ଗ୍ଓଙ୍ଗ ସୋ, ଗଲ୍ବାନ ଉପତ୍ୟକା, ଡେମ୍ଚୋକ ଏବଂ ଦୌଲତ ବେଗ୍ ଓଲ୍ଡିରେ ୫ ସପ୍ତାହ ହେଲା ଭାରତୀୟ ଓ ଚାଇନା ସେନା ମୁହାଁମୁହିଁ ସ୍ଥିତିରେ ରହିଥିଲେ। ଏକାଧିକ ଥର ସାମରିକ ଅଧିକାରୀ ସ୍ତରରେ ଆଲୋଚନା ପରେ ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଆରମ୍ଭ ହୋଇଛି। ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ଆଗ୍ରହ ପ୍ରକାଶ କରିଥିବା ବରିଷ୍ଠ ଭାଜପା ନେତା କହିଛନ୍ତି।