ଜାତୀୟ ଚାମ୍ପିୟନ୍‌ଶିପ୍‌ରେ ଭାଗନେବ ହକି ଓଡ଼ିଶା: ହାଇକୋର୍ଟ

କଟକ ଅଫିସ,୨୨ା୧:ଜାତୀୟ ହକି ଚାମ୍ପିୟନ୍‌ଶିପ୍‌ରେ ହକି ଓଡ଼ିଶା ଭାଗ ନେବ। ହାଇକୋର୍ଟ ଦେଇଛନ୍ତି ଏହି ଆଦେଶ। ହକି ଇଣ୍ଡିଆ ପକ୍ଷରୁ ଆସନ୍ତା ୨୩ରୁ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଝାନ୍‌ସିଠାରେ ଜାତୀୟ ହକି ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଉଭୟ ମହିଳା ଓ ପୁରୁଷ ଦଳ ଏଥିରେ ଭାଗ ନେବେ। ମାତ୍ର ଏହି ଚାମ୍ପିୟନ୍‌ଶିପରୁ ହକି ଓଡ଼ିଶାକୁ ବାଦ୍‌ ଦିଆଯାଇଥିଲା। ଏହାପରେ ହକି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ କେ.ଆର୍‌. ମହାପାତ୍ର ଉପରୋକ୍ତ ଆଦେଶ ଦେବା ସହିତ ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ, ହକି ଇଣ୍ଡିଆଙ୍କୁ ନୋଟିସ ଜାରି କରିଛନ୍ତି। ଗୋଟିଏପଟେ ହାଇକୋର୍ଟ ଏଭଳି ଆଦେଶ ଦେଇଥିବାବେଳେ ମଙ୍ଗଳବାର ଚାମ୍ପିୟନଶିପ ପାଇଁ ମ୍ୟାଚ୍‌ ସୂଚୀ ଜାରି କରାଯାଇଛି। ଯେଉଁଥିରେ ହକି ଓଡ଼ିଶାର ନଁା ନ ଥିବା ଜଣାପଡ଼ିଛି।
ସୂଚନାଥାଉ କି, ଏହି ଚାମ୍ପିୟନଶିପ୍‌ରେ ଭାଗନେବା ପାଇଁ ହକି ଇଣ୍ଡିଆ ପକ୍ଷରୁ ହକି ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟକୁ ଆବେଦନ କରିବାକୁ କୁହାଯାଇଥିଲା। ଇ-ପୋର୍ଟାଲ ଜରିଆରେ ରାଜ୍ୟମାନେ ଆବେଦନ କରିବାକୁ ହକି ଇଣ୍ଡିଆ ପକ୍ଷରୁ ଉଲ୍ଲେଖ କରାଯାଇଥିଲା। ଡିସେମ୍ବର ୩୧ ତାରିଖ ଆବେଦନର ଶେଷ ତାରିଖ ଥିଲା। କିନ୍ତୁ ହକି ଓଡ଼ିଶାକୁ ମେମ୍ବର ୟୁନିଟ୍‌ (ଏମ୍‌ୟୁ) ପୋର୍ଟାଲ ଝଟ୍‌କା ଲାଗିଥିଲା। ହକି ଇଣ୍ଡିଆ ଦ୍ୱାରା ପରିଚାଳିତ ଏମ୍‌ୟୁ ପୋର୍ଟାଲରେ ହକି ଓଡ଼ିଶା ଏଯାବତ୍‌ ଖେଳାଳିଙ୍କ ନାମ ପଞ୍ଜୀକରଣ କରିନାହିଁ। ଏଭଳି କାରଣ ପାଇଁ ହକି ଇଣ୍ଡିଆ ହକି ଓଡ଼ିଶା ସହିତ ୧୦ଟି ଅନୁବନ୍ଧିତ ହକି ସଂଘକୁ ଚାମ୍ପିୟନଶିପ୍‌ରୁ ବାଦ ଦେବା ସହିତ ସ୍ଥାୟୀ ସଦସ୍ୟରୁ ସହଯୋଗୀ ସଦସ୍ୟ କରିଦେଇଥିଲା। ହକି ଇଣ୍ଡିଆର ଏଭଳି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share