Categories: ଖେଳ

ଜାତୀୟ ଜୁନିୟର ହକି କ୍ୟାମ୍ପ୍‌ ପାଇଁ ଓଡ଼ିଶାରୁ ୫

ନୂଆଦିଲ୍ଲୀ, ୧୨।୫(ପି.ଟି.)- ବେଙ୍ଗାଲୁରୁଠାରେ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ଜୁନିୟର ପୁରୁଷ ହକି କୋଚିଂ କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ୩୩ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାରୁ ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସାହିଲ କୁମାର ନାୟକ (ଗୋଲକିପର), ଗ୍ରେଗୋ ଖେସ୍‌ (ମିଡ୍‌ଫିଲ୍ଡର), ସୁମନ ବେକ୍‌, ପ୍ରତାପ ଲାକ୍ରା ଓ ନବୀନ କୁଜୁର (ସମସ୍ତେ ଡିଫେଣ୍ଡର୍ସ)। ତିନି ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି କ୍ୟାମ୍ପ୍‌ ଜୁନ୍‌ ୪ରେ ଶେଷ ହେବ। ସ୍ପେନର ମାଡ୍ରିଡ୍‌ଠାରେ ଜୁନ ୧୦ରୁ ଆରମ୍ଭ ହେବାକୁ ଥିବା ଅଷ୍ଟରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଲାଗି ଏହି କ୍ୟାମ୍ପ୍‌ରୁ ଭାରତୀୟ ଦଳ ଘୋଷଣା କରାଯିବ। ଆୟୋଜକ ସ୍ପେନ ସମେତ ଭାରତ, ବେଲଜିୟମ, ଜର୍ମାନୀ, ଗ୍ରେଟ୍‌ ବ୍ରିଟେନ, ଆର୍ଜେଣ୍ଟିନା, ଅଷ୍ଟ୍ରିଆ ଓ ନେଦରଲାଣ୍ଡସ୍‌ ଅଂଶଗ୍ରହଣ କରିବେ। ‘ଏହା ଏକ ପ୍ରତିଦ୍ୱନ୍ଦ୍ୱୀତାମୂଳକ ଟୁର୍ନାମେଣ୍ଟ ହେବ। ସେହିଭଳି ଖେଳାଳିଙ୍କ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ କ୍ୟାମ୍ପ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। କ୍ୟାମ୍ପ୍‌ରେ ଖେଳାଳିଙ୍କ ଫିଟ୍‌ନେସ ଓ କମ୍ବିନେଶନ ଉପରେ ଗୁରୁତ୍ୱ ଦିଆଯିବ। ଚାପଜନକ ପରିସ୍ଥିତିରେ ଖେଳାଳିମାନେ କେଉଁଭଳି ପରିସ୍ଥିତିକୁ ମୁକାବିଲା କରୁଛନ୍ତି ତାହା ଉପରେ ମଧ୍ୟ କୋଚ୍‌ମାନେ ଦୃଷ୍ଟି ରଖିବେ’ ବୋଲି ଏଚ୍‌ଆଇର ଡାଇକ୍ଟେର ଅଫ୍‌ ହାଇପରଫର୍‌ମାନ୍ସ ଡେଭିଡ୍‌ ଜନ କହିଛନ୍ତି।

Share