ଜାତୀୟ ପରେଡ୍‌ରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ଦ୍ୱିତୀୟ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ପରେଡ୍‌ରେ ମୁଖ୍ୟ ଆକର୍ଷଣ ସାଜିଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼। ପରେଡ୍‌ରେ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୨୨ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ସେହିଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ଏନ୍‌ଡିଆର୍‌ଏଫ୍‌ର ୬ ମେଢ଼ ରହିଥିଲା। ଓଡ଼ିଶା ମେଢରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ରୁକୁଣା ରଥକୁ ଅତି ଆକର୍ଷଣୀୟଭାବେ ସଜାଯାଇଥିଲା। ମେଢ଼ ଚାରିପାଖରେ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଚିତ୍ତାକର୍ଷକ ନୃତ୍ୟ ଅଧିକ ଉପଭୋଗ୍ୟ ଥିଲା। ତେବେ ପ୍ରତିବର୍ଷ ଭଳି ଚଳିତବର୍ଷ ହୋଇଥିବା ମେଢ ପ୍ରତିଯୋଗିତାରେ ଓଡ଼ିଶାର ପ୍ରଜ୍ଞାପନ ମେଢ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ଆସାମର ମେଢ଼ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଶା ସହ ଉତ୍ତର ପ୍ରଦେଶର ମେଢ଼ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛି। ମଙ୍ଗଳବାର ପୂର୍ବାହ୍ନରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ରଙ୍ଗଶାଳା କ୍ୟାମ୍ପ୍‌ରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୃତିତ୍ୱ ହାସଲ କରିଥିବା ମେଢ଼ର ପ୍ରତିନିଧିମାନଙ୍କୁ ପୁରସ୍କୃତ କରିବେ। ଓଡ଼ିଶାର ପ୍ରଜ୍ଞାପନ ମେଢରେ ରାଜ୍ୟର ସାଂସ୍କୃତିକ ଝଲକ ଦେଖିବାକୁ ମିଳିଥିବାବେଳେ ପରେଡ଼ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ଛିଡାହୋଇ ଅଭିବାଦନ ଜଣାଇଥିଲେ। ଏହି ମେଢକୁ ନେଇ ବେଶ୍‌ ଗର୍ବିତ ବୋଲି କହିଛନ୍ତି ଏହାକୁ ଡିଜାଇନ କରିଥିବା ଶିଳ୍ପୀ ଗଜେନ୍ଦ୍ର ସାହୁ। ସାଧାରଣତନ୍ତ୍ର ଦିବସ ପୂର୍ବରୁ ନୂଆଦିଲ୍ଲୀ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ଅନୁଷ୍ଠିତ ସାଂସ୍କୃତିକ ସମାରୋହରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିଲା।

Share