ଜାତୀୟ ପୁରସ୍କାର ପାଇବେ ଓଡ଼ିଶାର ୮ ହସ୍ତଶିଳ୍ପୀ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଓଡ଼ିଶାର ହସ୍ତଶିଳ୍ପ ତଥା ଓଡ଼ିଆ କାରିଗରଙ୍କ କଳାକୃତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ସୁନାମ ଅର୍ଜନ କରିଛି। ଇତିମଧ୍ୟରେ ଓଡ଼ିଶାର ମୋଟ ୧୮୦ ହସ୍ତଶିଳ୍ପ କାରିଗର ଜାତୀୟସ୍ତରରେ ପୁରସ୍କୃତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେମାନଙ୍କ ମଧ୍ୟରୁ ୪ ପଦ୍ମ ପୁରସ୍କାର ଏବଂ ୧୧ ସମ୍ମାନଜନକ ଶିଳ୍ପୀଗୁରୁ ପୁରସ୍କାର ହାସଲ କରିଛନ୍ତି। ଏହି କ୍ରମରେ ୨୦୧୭ ବର୍ଷ ପାଇଁ ଓଡ଼ିଶାର ୮ ହସ୍ତଶିଳ୍ପୀ କାରିଗର ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ୩ ଜାତୀୟ ‘କୃତୀ’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ତାଳପତ୍ର ଖୋଦେଇ(କୃଷ୍ଣଲୀଳା)’ ପାଇଁ ଶିଳ୍ପୀ ବିରଞ୍ଚତ୍ ନାରାୟଣ ବେହେରା, ପଥର ଖୋଦେଇ(କନ୍ଦର୍ପ ହସ୍ତୀ) ଲାଗି ଶିଳ୍ପୀ ରାକେଶ କୁମାର ମହାରଣା, ନଡ଼ାଶିଳ୍ପ(କନ୍ଦର୍ପ ରଥ) କାରିଗର ପ୍ରଦୀପ କୁମାର ନାୟକ, ପଟ୍ଟଚିତ୍ର(କୃଷ୍ଣଲୀଳା) ପାଇଁ ସବିତା ମହାପାତ୍ର, ଟସର ପେଣ୍ଟିଂ(ଠିଆ ବଢ଼ିଆ) ଲାଗି ଶିଳ୍ପୀ ସ୍ବର୍ଣ୍ଣଲତା ମହାପାତ୍ର ଜାତୀୟ ପୁରସ୍କାର ବିଜୟୀ ହୋଇଛନ୍ତି। ସେହିଭଳି ମୁକୁନ୍ଦ ରଣା, ରଘୁ ରଣା ଏବଂ ଅପରାଜିତା ପରିଡ଼ା ‘କୃତୀ’ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମୃତ୍ତିକା ଶିଳ୍ପରେ ‘ମା’ଦୁର୍ଗା ଭସାଣି’ ପାଇଁ ମୁକୁନ୍ଦ ରଣା ଏବଂ ‘ତୁଳସୀ ଚଉରା’ ପାଇଁ ରଘୁ ରଣା, ପଟ୍ଟଚିତ୍ରରେ ‘କୃଷ୍ଣଲୀଳା’ କଳାକୃତି ନିମନ୍ତେ ଅପରାଜିତା ପରିଡ଼ା ପୁରସ୍କୃତ ହେବେ। ଗୋଟିଏ ବର୍ଷରେ ଓଡ଼ିଶାର ଏତେ ସଂଖ୍ୟକ ହସ୍ତଶିଳ୍ପୀ ଜାତୀୟ ପୁରସ୍କାର ପାଇବା ଏକ ଉଲ୍ଲେଖନୀୟ ସଫଳତା ବୋଲି ବିବେଚନା କରାଯାଉଛି। ତେବେ ଓଡ଼ିଶାରୁ ୨୦୦୯ ବର୍ଷ ପାଇଁ ୬ଜଣ, ୨୦୧୦ ପାଇଁ ୫ଜଣ, ୨୦୧୧ରେ ୫ଜଣ, ୨୦୧୨ରେ ୪ଜଣ, ୨୦୧୩ରେ ୨ଜଣ, ୨୦୧୪ରେ ଜଣେ ଏବଂ ୨୦୧୫ରେ ୪ ଜଣ ହସ୍ତଶିଳ୍ପୀ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ।

Share