ଜାତୀୟ ବରିଷ୍ଠ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ଓଡ଼ିଶା ଦଳରେ ବାଲେଶ୍ୱର ଖେଳାଳି

ବାଲେଶ୍ୱର ଅଫିସ,୧୮।୨-ଆସନ୍ତା ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଜୟପୁରଠାରେ ଅନୁଷ୍ଠିତ ହେବ ଜାତୀୟ ବରିଷ୍ଠ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଏଥିପାଇଁ ଓଡ଼ିଶା ପୁରୁଷ ଦଳ ଘୋଷିତ ହୋଇଯାଇଛି। ପ୍ରଥମଥର ଲାଗି ବାଲେଶ୍ୱରର ଖେଳାଳି ଜୟପ୍ରକାଶ ସିଂ ଓ ଗୋଲାମ ଅଲ୍ଲିଖଁା ଉକ୍ତ ବିଭାଗରେ ଓଡ଼ିଶା ଦଳ ପକ୍ଷରୁ ଚୟନ ହୋଇ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି।

ବାଲେଶ୍ୱର ଜିଲାର ପ୍ରମୁଖ ବ୍ୟାଡମିଣ୍ଟନ ଖେଳାଳି ଜୟପ୍ରକାଶ ଏକମାତ୍ର ଖେଳାଳି ଭାବେ ୨ଟି ବିଭାଗରେ ଅଂଶଗ୍ରହଣ ପାଇଁ ଚୟନ ହୋଇଛନ୍ତି। ଜୟପ୍ରକାଶ ୩୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ସିଙ୍ଗଲ୍ସ ଓ ୩୫ ବର୍ଷରୁ ଊର୍ଦ୍ଧ୍ୱ ଡବଲ୍ସ ବିଭାଗରେ ଗୋଲାମ ଅଲ୍ଲିଖଁାଙ୍କୁ ସାଥୀ କରି ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ୫୫ ବର୍ଷରୁ ଊର୍ଦ୍ଧ୍ୱ ଡବଲ୍ସ ବିଭାଗରେ ବାଲେଶ୍ୱରର ବିନୟ ସାହ ଓ ଅଜୟ ଦୋଷୀ ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ଜିଲାର ସମସ୍ତ ବ୍ୟାଡମିଣ୍ଟନ ଖେଳାଳିଙ୍କ ତରଫରୁ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବା ବାଲେଶ୍ୱରର ଖେଳାଳିମାନଙ୍କ ସଫଳତା କାମନା କରାଯାଇଛି। ଜିଲାରେ ବ୍ୟାଡମିଣ୍ଟନ ଖେଳିବା ପାଇଁ ସେପରି କିଛି ବଳିଷ୍ଠ ଭିତ୍ତିଭୂମି ନ ଥିବାବେଳେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଖେଳାଳିମାନେ ସାମର୍ଥ୍ୟ ରଖିଛନ୍ତି। ଏହି ଖେଳ ପାଇଁ ଏକ ଉନ୍ନତମାନର ଇନ୍‌ଡୋର ଷ୍ଟାଡିୟମ କରାଯାଇପାରିଲେ ବହୁ ଖେଳାଳି ଉପକୃତ ହେବା ସହ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିବାରେ ସହାୟକ ହୋଇପାରିବେ ବୋଲି ବ୍ୟାଡ୍‌ମିଣ୍ଟନ ଖେଳାଳି ଜୟପ୍ରକାଶ ଦାବି କରିଛନ୍ତି।