Categories: ଖେଳ

ଜାତୀୟ ବାଳିକା ଚେସ୍‌: ସାଇନା ସାଲୋନିକାଙ୍କୁ ରୌପ୍ୟ

ଭୁବନେଶ୍ୱର, ୮।୭ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଆ ଚେସ୍‌ ପ୍ରତିଭା ତଥା ଓ୍ବିମେନ ଫିଡେ ମାଷ୍ଟର (ଡବ୍ଲ୍ୟୁଏଫ୍‌ଏମ୍‌) ସାଇନା ସାଲୋନିକା ତାଙ୍କ ଜ୍ୱାଜଲ୍ୟମୟ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। କୋଚିରେ ରବିବାର ଶେଷ ହୋଇଥିବା ଜାତୀୟ ୧୭ ବର୍ଷରୁ କମ୍‌ ବାଳିକା ଚେସ୍‌ ଚାମ୍ପିୟନଶିପ୍‌ରେ ସାଇନା ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପଶ୍ଚିମବଙ୍ଗର ସମ୍ରିଦ୍ଧା ଘୋଷ ୮.୫ ପଏଣ୍ଟ ସହ ଚାମ୍ପିୟନ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶର ବି. କଲ୍ୟାଣୀଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ସେହିଭଳି ୧୨ ବର୍ଷରୁ କମ୍‌ ବାଳିକା ଓ ୧୨ ବର୍ଷରୁ କମ୍‌ ଓପନ୍‌ ବର୍ଗରେ ଯଥାକ୍ରମେ ୟଶିତା ରାଉତ ଓ ଶୁଭମ ପଟ୍ଟନାୟକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅପରପକ୍ଷରେ ୨୦ ବର୍ଷରୁ କମ୍‌ ଓପନ୍‌ ବର୍ଗରେ ଅନ୍ୟତମ ଓଡ଼ିଆ ପ୍ରତିଯୋଗୀ ନିଲ୍‌ଶୁ ପଟ୍ଟନାୟକ ମଧ୍ୟ ବ୍ରୋଞ୍ଜରେ ସନ୍ତୁଷ୍ଟ ରହିଛନ୍ତି।
ଏହି ପ୍ରତିଯୋଗିତାରେ ମୋଟ୍‌ ୧୧ ରାଉଣ୍ଡରୁ ୫ ଗେମ୍‌ ଜିତିଥିବାବେଳେ ୬ଟି ଡ୍ର’ରେ ଶେଷ କରି ମୋଟ୍‌ ୮ ପଏଣ୍ଟ ହାସଲ କରି ଅଳ୍ପକେ ସ୍ବର୍ଣ୍ଣ ପଦକ ଜିତିବାରୁ ବଞ୍ଚତ୍ତ ହୋଇଥିଲେ। ଟୁର୍ନାମେଣ୍ଟରେ ଏଥିସହ ସେ ଅପରାଜେୟ ରହି ଅଭିଯାନ ଶେଷ କରିଛନ୍ତି। ରନର୍ସଅପ୍‌ ହୋଇଥିବାରୁ ସାଇନା ରୋମାନିଆରେ ହେବାକୁ ଥିବା ବିଶ୍ୱ ଯୁବ ଚେସ୍‌ ଚାମ୍ପିୟନଶିପ୍‌ରେ ଦେଶ ତରଫରୁ ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲରେ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ଥିବା ସାଇନା ଏଥିସହ ଜାତୀୟସ୍ତରରେ ହେଉଥିବା ସମସ୍ତ ବୟସବର୍ଗରେ ପଦକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ୨୦୧୦ରେ ସେ ୭ ବର୍ଷରୁ କମ୍‌ କ୍ୟାଟାଗୋରୀରେ ଚାମ୍ପିୟନ ହୋଇଥିଲେ। ଏହାପରେ ୨୦୧୨ରେ ୯ ବର୍ଷରୁ କମ୍‌ ଚାତୀୟ ସ୍କୁଲ ଚାମ୍ପିୟନଶିପ୍‌ରେ ଟାଇଟଲ୍‌ ମଧ୍ୟ ଜିତିଥିଲେ। ଅନ୍ୟ ବୟସବର୍ଗ ଗୁଡ଼ିକ ମଧ୍ୟରେ ୧୧, ୧୩, ୧୫ ଓ ୧୭ ବର୍ଷରୁ କମ୍‌ ସେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଉଦୀୟମାନ ଚେସ୍‌ ତାରକା ବର୍ତ୍ତମାନ ସୁଦ୍ଧା କ୍ୟାରିୟରରେ ୧୫ ଅନ୍ତର୍ଜାତୀୟ ପଦକ ହାସଲ କରିସାରିଛନ୍ତି। ଯେଉଁଥିରେ ୧୦ ବର୍ଷରୁ କମ୍‌ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ରହିଛି।
ଡ୍ର ରହିଥିବା ୬ ଗେମ୍‌ରୁ ଅନ୍ତତଃ ଗୋଟିଏ ବିଜୟରେ ପରିଣତ ହୋଇପାରିଥାନ୍ତା ତେବେ ଫଳାଫଳ ଆହୁରି ଭଲ ହୋଇଥାନ୍ତ’ ବୋଲି ରୌପ୍ୟ ପଦକ ହାସଲ କରିବା ପରେ ସାଇନା ପ୍ରକାଶ କରିଛନ୍ତି। ସାଇନାଙ୍କ ଘର କେଉଁଝର ଜିଲା ସୁଲମ ଗ୍ରାମରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ଅଧ୍ୟୟନ କରୁଛନ୍ତି।

Share