Categories: ଖେଳ

ଜାତୀୟ ବାସ୍କେଟବଲ ଶିବିରରେ ଫୟାଜ୍‌

କଟକ ଅଫିସ, ୧।୬- ୧୬ବର୍ଷରୁ କମ୍‌ ଜାତୀୟ ବାସ୍କେଟବଲ ଶିବିରରେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ସ୍ଥାନ ପାଇଛନ୍ତି ସେଖ୍‌ ଫୟାଜ। ବେଙ୍ଗାଲୁରୁ ବିଦ୍ୟାନଗରସ୍ଥିତ ଜୟପ୍ରକାଶ ନାରାୟଣ ଜାତୀୟ ଯୁବ କେନ୍ଦ୍ର ବାସ୍କେଟବଲ ଏକାଡେମୀ ଠାରେ ଜୁନ ୩ରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଅନୁଷ୍ଠିତ ହେବ। ଜୁଲାଇ ୩ରୁ ବାଂଲାଦେଶର ଢାକାଠାରେ ହେବାକୁ ଥିବା ସାବା ଚାମ୍ପିୟନଶିପ୍‌ ନିମନ୍ତେ ଏହି ଶିବିରରୁ ଖେଳାଳି ବଛାଯିବେ। ତେବେ ତାମିଲନାଡୁରେ ଶେଷ ହୋଇଥିବା ଜାତୀୟ ୟୁଥ୍‌ ବାସ୍କେଟବଲ ଚାମ୍ପିୟନଶିପ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି କଟକ ଗହ୍ମାଡିଆ ନ୍ୟୁ କଲୋନୀରେ ରହୁଥିବା ଫୟାଜ। ପିତା ସେଖ ଅବଦୁଲ ରଫିକ୍‌ ଓ ମା’ ନାହିଦା ବେଗମ୍‌ଙ୍କ ଏକମାତ୍ର ପୁଅ ଫୟାଜ ନ୍ୟୁ ଷ୍ଟିୱାର୍ଟ ସ୍କୁଲର ୯ମ ଶ୍ରେଣୀର ଛାତ୍ର ଅଟନ୍ତି। ଫୟାଜ ଜୁନିୟର ବର୍ଗରେ ଓଡ଼ିଶାର ଜଣେ ଚାମ୍ପିୟନ ସୁଇମର ମଧ୍ୟ। ୨୦୧୫ ମସିହା ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ୨୦୧୬ ଓ ୨୦୧୭ ମସିହାରେ ମଧ୍ୟ ଫୟାଜଙ୍କ ପ୍ରଦର୍ଶନ ଆକର୍ଷଣୀୟ ରହିଥିଲା। ୨୦୧୮ ମସିହାରୁ ସେ ବାସ୍କେଟବଲ ଖେଳ ପ୍ରତି ମନ ବଳାଇବା ସହ କୋଚ୍‌ ଶଶିକାନ୍ତ ନାୟକଙ୍କ ପାଖରେ ପ୍ରଶିକ୍ଷଣ ନେଉଛନ୍ତି। ଜାତୀୟ ଶିବିରରେ ଭଲ ପ୍ରଦର୍ଶନ କରି ଜାତୀୟ ଦଳରୁ ପ୍ରତିନିଧିତ୍ୱ କରିବାର ସ୍ବପ୍ନ ରହିଛି ବୋଲି ଫୟାଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Share