Categories: ଖେଳ

ଜାତୀୟ ମହିଳା ହକି କ୍ୟାମ୍ପ୍‌: ଫେରିଲେ ରାନୀ

ନୂଆଦିଲ୍ଲୀ, ୨୬।୪(ପି.ଟି.)- ବେଙ୍ଗାଲୁରୁଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ମହିଳା ହକି କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ ପକ୍ଷରୁ ୬୦ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଷ୍ଟାର୍‌ ଖେଳାଳି ତଥା ଅଧିନାୟିକା ରାନୀ ରାମପାଲ ସ୍ଥାନ ପାଇଛନ୍ତି। ଆଘାତଜନିତ ସମସ୍ୟା ଲାଗି ରାନୀ ନିକଟରେ ଅନୁଷ୍ଠିତ ମାଲେସିଆ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍‌ ଖେଳିପାରି ନ ଥିଲେ। ଦୁଇ ସପ୍ତାହ ଧରି ହେବାକୁ ଥିବା ଏହି କ୍ୟାମ୍ପ୍‌କୁ କିନ୍ତୁ ରାନୀ ଫିଟ୍‌ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆସନ୍ତା ୪ରେ ଏହି ୬୦ ଜଣିଆ ଖେଳାଳି ତାଲିକାରୁ ୩୩ ଜଣିଆ କୋର୍‌ ଗ୍ରୁପ୍‌ ଚୟନ କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ‘ଏହି କ୍ୟାମ୍ପ୍‌କୁ କିଛି ନୂତନ ପ୍ରତିଭାଧାରୀ ଖେଳାଳି ଆସିଛନ୍ତି, ଯାହାଙ୍କ ଦକ୍ଷତାକୁ ଏଠାରେ ପରଖାଯିବ। ଖେଳାଳିମାନେ ସେମାନଙ୍କ ସାମର୍ଥ୍ୟ ଅନୁସାରେ ପ୍ରଦର୍ଶନ କରିବେ’ ବୋଲି ଜାତୀୟ ମହିଳା ହକି ଦଳର କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି। ଏହି ୬୦ ଜଣିଆ କ୍ୟାମ୍ପ୍‌ରେ ଦୀପ୍‌ଗ୍ରେସ ଏକ୍କା, ଲିଲିମା ମିଞ୍ଜ, ସୁନୀତା ଲାକ୍ରା, ନମିତା ଟପ୍ପୋଙ୍କ ପରି ଓଡ଼ିଶାର କିଛି ପ୍ରମୁଖ ଖେଳାଳି ସ୍ଥାନ ପାଇଛନ୍ତି।

Share