Categories: ଗଞ୍ଜାମ

ଜାତୀୟ ରାଜପଥରେ ଅଟକିଛି ଶତାଧିକ ଟ୍ରକ : ୫ ଦିନ ହେଲା ଟ୍ରାଫିକ ବିପର୍ଯ୍ୟସ୍ତ

ଛତ୍ରପୁର,୧୮ା୭(ଡି.ଏନ.ଏ)-ଗଞ୍ଜାମରୁ ଆରମ୍ଭ କରି ଛତ୍ରପୁର- କାଳିବାଲି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ଶତାଧିକ ଆଇରନ୍‌ ଓର୍‌ ବୋଝେଇ ଟ୍ରକ୍‌ ୫ ଦିନ ହେଲା ଅଟକି ରହିଛି। ଫଳରେ ଜାତୀୟ ରାଜପଥରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଗତ ୩ ଦିନ ହେଲା ଗୋପାଳପୁର ପୋର୍ଟକୁ ରାତିରେ ଶତାଧିକ ଟ୍ରକ୍‌ ଛଡାଯାଇଥିଲେ ମଧ୍ୟ ଆହୁରି ବହୁ ସଂଖ୍ୟକ ଆଇରନ୍‌ ବୋଝେଇ ଗାଡି ଜାତୀୟ ରାଜପଥରେ ଅଟକି ରହୁଛି। ଯଦ୍ଦ୍ବାରା ଜାତୀୟ ରାଜପଥରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯିବା ନେଇ ସମସ୍ୟା ସୃଷ୍ଟି ହେଉଛି। ଟ୍ରକ୍‌ ଚାଳକ ଓ ହେଲପରମାନଙ୍କ ଖାଇବା ଓ ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ଅସୁବିଧା ହେଉଛି। ଜାତୀୟ ରାଜପଥ ପାର୍ଶ୍ୱରେ କେତେଜଣ ରୋଷେଇ କରି ଖାଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ଓ ପୋଲିସ ପାଇଁ ମଧ୍ୟ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଛି। କାଳିଆବାଲି ଛକଠାରୁ ମାଟିଖାଲ ରାସ୍ତାରେ ପୋର୍ଟକୁ ଦୈନିକ ଶତାଧିକ ଆଇରନ୍‌ ଓର୍‌ ଟ୍ରକ୍‌ ଯାଉଥିବାରୁ ଲୋକେ ଏହାକୁ ବିରୋଧ କରିଛନ୍ତି। ଭାରିଯାନ ଚଳାଚଳ ଫଳରେ କାଳିଆବାଲି ଛକ-ମାଟିଖାଲ ରାସ୍ତା କଦର୍ଯ୍ୟ ହେଉଥିବାରୁ ବନ୍ଦ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ। ଏହାର ସମାଧାନ ପାଇଁ ଛତ୍ରପୁରଠାରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ବସିଥିଲା। ୨୨ ତାରିଖରେ ପୁଣି ବୈଠକ ବସିବ ବୋଲି ନିଷ୍ପତ୍ତିି ହୋଇଥିଲା। ଅଟକି ରହିଥିବା ଗାଡିଗୁଡିକୁ ରାତି ବେଳେ ପୋର୍ଟକୁ ଛଡାଯିବ ଏବଂ ଆଉ କୌଣସି ଗାଡି ଏଠାକୁ ନ ପଠାଇବାକୁ ପୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ୧୮ ତାରିଖ ମଧ୍ୟରେ ସବୁ ଗାଡି ପୋର୍ଟକୁ ଛଡାଯିବ ଏବଂ ଜାତୀୟ ରାଜପଥ କ୍ଲିୟର କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ଏବେ ବି ଶତାଧିକ ଗାଡି ଜାତୀୟ ରାଜପଥରେ ଅଟକି ରହିଛି।