Advertisement

ଜାତୀୟ ରାଜପଥରେ ଗ୍ୟାରେଜ: ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଘଟୁଛି ଦୁର୍ଘଟଣା

ଝୁମ୍ପୁରା ୨୯।୮ (ଡି.ଏନ.ଏ.)-୨୦ନଂ ଜାତୀୟ ରାଜପଥର ଝୁମ୍ପୁରା ଥାନା ପଛ ପାଖରେ ଜାତୀୟ ରାଜପଥର ଅଧିକୃତ ଜାଗା ଉପରେ ହିଁ ଗଢି ଉଠିଥିବା ଗ୍ୟାରେଜ ଯୋଗୁଁ ବିପର୍ଯ୍ୟସ୍ତ ହୋଇ ପଡିଛି ଟ୍ରାଫିକ ସେବା। ଜାତୀୟ ରାଜପଥର ନିର୍ମାଣ କାମ ଥାନା ପଛ ପାଖରେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବାବେଳେ, ଏହାର ସୁଯୋଗ ନେଇ ଟାୟାର ଦୋକାନ, ଗ୍ୟାରେଜ କାମ ବେନିୟମ ଭାବେ ଚାଲିଛି। ମାଳ ମାଳ ଟ୍ରକ ଗ୍ୟାରେଜ ସମ୍ମୁଖରେ ଜାତୀୟ ରାଜପଥକୁ ଅବରୋଧ କରି ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହୁଛି। ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ବିଷ୍ଣୁପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ରହିଥିବାବେଳେ, ଅନ୍ୟ ପାର୍ଶ୍ୱ ରାସ୍ତା ଝୁମ୍ପୁରା ଥାନା ରାସ୍ତା ଦେଇ ଝୁମ୍ପୁରା ବଜାରକୁ ସଂଯୋଗ କରୁଛି। ସର୍ଭିସ ରାସ୍ତା, ଆପ୍ରୋଚ ରାସ୍ତାରୁ ବାଇକ ଆରୋହୀ, ସାଧାରଣ ପଥଚାରୀ ଜାତୀୟ ରାଜପଥ ଉପରକୁ ଆସିବା ବେଳେ ଗ୍ୟାରେଜ ସମ୍ମୁଖରେ ମାଳ ମାଳ ଟ୍ରକ ଛିଡା ହୋଇ ରହିଥିବାରୁ ରାଜପଥର ଗୋଟିଏ ପାର୍ଶ୍ୱ ରାସ୍ତା ଆଦୌ ଦେଖାଯାଏ ନାହିଁ। ଫଳରେ ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ନିକଟରେ ଗ୍ୟାରେଜ ପାଖରୁ ଅନତି ଦୂରରେ ବାଇକ ଦୁର୍ଘଟଣା ଘଟି ଜଣେ ଝୁମ୍ପୁରା ଥାନା ପୋଲିସ ଏ ଏସ ଆଇଙ୍କ ମୃତ୍ୟୁ ଘଟିଥିବାବେଳେ ସବୁ ସମୟରେ ଏହିପରି ଛୋଟବଡ ଦୁର୍ଘଟଣା ଘଟି ଚାଲିଛି। ଏତେ ସବୁ ପରେ ଏବଂ ଅଭିଯୋଗ ହୋଇ ଚାଲିଥିଲେ ହେଁ ଗ୍ୟାରେଜ ମାଲିକ କାହାରିକୁ ମାନୁ ନାହାନ୍ତି। ଝୁମ୍ପୁରା ଥାନା ପୋଲିସର କୋହଳ ମନୋଭାବ ଯୋଗୁଁ ଏପରି ହୋଇ ଚାଲିଛି ବୋଲି ବିଷ୍ଣପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ନୂତନ ଭାବେ ଥାନାରେ ଯୋଗ ଦେଇଥିବା ଥାନା ଅଧିକାରୀ ବିରଞ୍ଚି ବାଗଙ୍କୁ ପଚାରିବାରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share