ଜାତୀୟ ରାଜପଥରେ ପ୍ରାଣୀଧନ ପରିବହନ

ଜଳେଶ୍ୱର, ୧୩।୧(ସ୍ବ.ପ୍ର.)- ବାଲେଶ୍ୱର ଜିଲା ଦେଇ ଯାଇଥିବା ୬୦ନଂ. ଜାତୀୟ ରାଜପଥ ଓ ୫୭ନଂ. ରାଜ୍ୟ ରାଜପଥରେ ଛେଳି, ମେଣ୍ଢା ଓ ଗୋରୁ ଆଦି ଗୃହପାଳିତ ପ୍ରାଣୀଙ୍କୁ ବିଭିନ୍ନ ଗାଡ଼ିରେ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲେ ମଧ୍ୟ ଏହାକୁ ରୋକା ଯାଇପାରୁନାହିଁ। ମୁଖ୍ୟରାସ୍ତାରେ ବିଭିନ୍ନ ଯାନ ଦ୍ୱାରା ପ୍ରାଣୀଧନ ପରିବହନ କଲାବେଳେ ଆନିମଲ କ୍ରୁଏଲିଟି ଆକ୍ଟ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉନାହିଁ। ଗତ ଶନିବାର ୬୦ନଂ. ଜାତୀୟ ରାଜପଥରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଅନେକ ଛେଳିିକୁ ଅମାନବୀୟ ଭାବେ ଜାଲରେ ବନ୍ଧାଯାଇ ଓହଳିବା ଅବସ୍ଥାରେ ରଖି ପରିବହନ କରାଯାଉଥିବା ଦେଖିବାକୁ ମିଳିଥିଲା। ସେହିପରି ସପ୍ତାହକୁ ୪ ଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବଡ଼ ବଡ଼ ଟ୍ରେଲରରେ କୃତ୍ରିମ ଛାତ କରି ଗୋରୁଙ୍କୁ ପଶ୍ଚିମବଙ୍ଗ ଓ ବାଂଲାଦେଶକୁ ପରିବହନ କରାଯାଉଛି। ଗୋଟିଏ ଯାନରେ ୧୦ଟି ଗୋରୁ ଯିବାର ନିୟମ ଥିବା ବେଳେ ୭୦ରୁ ୮୦ଟି ଗୋରୁଙ୍କୁ କୃତ୍ରିମ ଛାତ ସୃଷ୍ଟିକରି ଝୁଲାଇ ପରିବହନ କରାଯାଉଛି। ଏପରି ପରିବହନ ବେଳେ ଗତ ୩ଦିନ ତଳେ ୬୦ନଂ. ଜାତୀୟ ରାଜପଥରେ ୭ଟି ଗୋରୁଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ଏହି ମୃତ ଗୋରୁଙ୍କୁ ଚାଲନ୍ତି ନିକଟରେ ପକାଇ ଖସି ଚାଲିଯାଇଥିଲେ। ପ୍ରଶାସନିକ ଅଧିକାରୀ ବେଆଇନ ପ୍ରାଣୀଧନ ଚାଲାଣ ରୋକିବାକୁ ଜଳେଶ୍ୱର ଅଞ୍ଚଳବାସୀ ଦାବି କରିଛନ୍ତିି।