ଜାତୀୟ ରାଜପଥ ଅବରୋଧ କଲେ ଚାଷୀ: ମଣ୍ଡିରେ ଧାନ କିଣାରେ ବିଳମ୍ବ ନେଇ ଅସନ୍ତୋଷ

ବିରିଡି (ଡି.ଏନ୍‌.ଏ.)/ବାଲିଆ, ୨୭।୨: ବିରିଡ଼ି ବ୍ଲକ ଅଧୀନ ଉତ୍ତରଶାସନ ସମବାୟ ସମିତିରେ ଧାନକିଣାରେ ବିଳମ୍ବ ନେଇ ବୁଧବାର ଚାଷୀମାନେ କନ୍ଦରପୁର-ନୂଆଗଁ। ୫୫ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ପଞ୍ଜୀକୃତ ଚାଷୀମାନେ ୨ ମାସ ଧରି ମଣ୍ଡି ବାହାରେ ଧାନ ପକାଇ ରଖିଥିଲେ ବି ମିଲର୍‌ ଧାନ ନେଉନାହାନ୍ତି। ଅନ୍ୟପଟେ ଧାନ ବିକ୍ରି ପାଇଁ ବହୁଦିନ ଅପେକ୍ଷା କରିବା ପରେ ବି ଚାଷୀଙ୍କୁ ଟୋକନ ଦିଆ ନଯିବା ଓ ଟୋକନ ମିଳିବାର କିଛି ଘଣ୍ଟା ପରେ ଆପେ ଆପେ ରଦ୍ଦ ହୋଇଯିବା ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି। ତେବେ ମଣ୍ଡିରେ ଅବ୍ୟବସ୍ଥା ପାଇଁ ଚାଷୀମାନେ ବୁଧବାର ପୂର୍ବାହ୍ନରୁ କନ୍ଦରପୁର-ନୂଆଗଁ। ଜାତୀୟ ରାଜପଥ ଅବରୋଧ କରିଥିଲେ। ଚାଷୀମାନେ ରାସ୍ତା ଉପରେ ବସି ରହିବା ଯୋଗୁ ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ିମୋଟର ଅଟକି ରହିଥିଲା। ଖବରପାଇ ସହକାରୀ ସମବାୟ ନିବନ୍ଧକ ବିଜୟ ସାମଲ, ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର, ଏମ୍‌ଆର୍‌ ମୋଚ୍ଚିରାମ ଦାସ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପଞ୍ଜୀକୃତ ଚାଷୀମାନଙ୍କଠାରୁ ଧାନ କିଣାଯିବ ଓ ରଦ୍ଦ ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ହାଜିପୁର ସରପଞ୍ଚ ବିମଳ ସେଠୀ, ଶଙ୍ଖପୁର ସରପଞ୍ଚ ରଶ୍ମିରଞ୍ଜନ ବେହେରା, ସମିତିସଭ୍ୟ ବିଶ୍ୱରଞ୍ଜନ କରଙ୍କ ସମେତ ଯୋଗେନ୍ଦ୍ର ମହାପାତ୍ର, ଭାଗ୍ୟଧର ରାଉତ, ଭରତ ଚନ୍ଦ୍ର ମଲ୍ଲିକ, ଶିବପ୍ରସାଦ ଜେନା, ସରୋଜ ଜେନା, ନୀରୋଦ ଚନ୍ଦ୍ର ସାହୁ, ଦିଲୀପ କୁମାର ରାୟ, ଅକ୍ଷୟ କୁମାର ଜେନା, ଆଲୋକ ରଞ୍ଜନ ଦାସ, ଧୀରେନ୍ଦ୍ର ବେହେରା, ବିଧାନ ଚନ୍ଦ୍ର ଜେନା, ଦିଲୀପ ମହାପାତ୍ର, ସଚ୍ଚିଦାନନ୍ଦ ମହାପାତ୍ର, ଅରୁଣ କୁମାର ଜେନା, ବାଦଲ କୁମାର ଜେନା, ସନ୍ଦୀପ ରାୟ, ସ୍ବାଧୀନ ଜେନା, ସୌଭାଗ୍ୟ ଜେନା, ସମରେଶ୍ୱର ଜେନା, କ୍ଷୀରୋଦ ସାହୁ, ଲକ୍ଷ୍ମୀଧର ପରିଡ଼ା ପ୍ରମୁଖ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ।

Share