ଜାତୀୟ ରାଜପଥ କାର୍ଯ୍ୟରେ ମନ୍ଥରତା

ନୟାଗଡ଼ ଅଫିସ,୧୯ା୧୦: ନୟାଗଡ଼ ଦେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ। ଏହି ରାଜପଥର ଶିମିଳିସାହିଠାରୁ କିରିଆଲାଞ୍ଜି ପର୍ଯ୍ୟନ୍ତ ୭ କିଲୋମିଟର ରାସ୍ତା ପ୍ରଶସ୍ତୀକରଣ ଓ ଉନ୍ନତୀକରଣ ପାଇଁ ଯୋଜନା କରାଯାଇ କାମ ଆରମ୍ଭ କରାଯାଇଥିଲା। ହେଲେ କାମର ମନ୍ଥରତା ଯୋଗୁ ଅବଧି ସରିବାର ୫ମାସ ପରେ ବି ଏହା ଶେଷ ହୋଇପାରି ନାହିଁ। ଏପରି କି ରାସ୍ତାରେ ହେବାକୁ ଥିବା ୨ଟି ପୋଲର ନିର୍ମାଣ କାର୍ଯ୍ୟ ୧୦ ପ୍ରତିଶତ ମଧ୍ୟ ହୋଇନାହିଁ। ଫଳରେ କେବେ ରାସ୍ତା କାର୍ଯ୍ୟ ସରିବ ତାହାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଯେ ଉକ୍ତ ୭ କିଲୋମିଟର ରାସ୍ତା ପାଇଁ ୨୧ କୋଟି ୯୦ ଲକ୍ଷ ୧୦ ହଜାର ୯୪୬ ଟଙ୍କା ଆକଳନ ହୋଇଥିଲା। ପରେ ଭଗବତୀ ବିଲ୍ଡିଂ ଆଣ୍ଡ କନଷ୍ଟ୍ରକସନ୍‌ ନାମକ ଠିକାସଂସ୍ଥା ଉକ୍ତ ରାସ୍ତା କାର୍ଯ୍ୟ ପାଇଁ ୧୬ କୋଟି ୭୭ ଲକ୍ଷ ୭୭ ହଜାର ୭୦୩ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲା। ୫ ମେ ୨୦୧୮ରୁ କାମ ଆରମ୍ଭ ହୋଇ ଏକବର୍ଷ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ରାସ୍ତା ଉନ୍ନତୀକରଣ ସହ ଦୁର୍ଦ୍ଦୁରା ଛକ ନିକଟରେ ବଡ଼ ପୋଲ ଓ ଡିମିରିଝରି ନିକଟରେ ମଧ୍ୟମ ପୋଲ ହେବା ନେଇ ଏଗ୍ରିମେଣ୍ଟରେ ଦର୍ଶାଯାଇଛି। ହେଲେ ଅବଧି ସରିବାର ୫ମାସ ବିତିଯାଇଥିଲେ ମଧ୍ୟ ୨ଟି ପୋଲର ୧୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସରିନାହିଁ। ନିର୍ମାଣ ହେବାକୁ ଥିବା ୨ଟି ପୋଲର କେବଳ ରଡ୍‌ ବନ୍ଧା କାର୍ଯ୍ୟ ସରିଛି। ରାସ୍ତା ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ଲୋକମାନେ ଯାତାୟାତ ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୋଲ ନିକଟରେ ଅସ୍ଥାୟୀ ରାସ୍ତା କରାଯାଇଥିଲେ ମଧ୍ୟ ପ୍ରବଳ ଧୂଳି ଉଡୁଥିବାରୁ ତାହା ଚାଳକଙ୍କୁ ଅଡୁଆରେ ପକାଉଛି। ଏଥିଯୋଗୁ ଯାତ୍ରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ନିକଟରେ ଏକ ଦୁର୍ଘଟଣା ଘଟି ଦୁଇ ଯୁବକ ଆହତ ହୋଇଥିବା ଦେଖିବାକୁ ମିଳିଥିଲା। ଠିକା ସଂସ୍ଥା ପକ୍ଷରୁ ରାସ୍ତାରେ ପାଣି ପକାଯିବା ପାଇଁ ନିୟମ ଥିବାବେଳେ ତାହା କରାଯାଉ ନାହିଁ। ଏହାଛଡା ଖୋର୍ଦ୍ଧା ବଲାଙ୍ଗୀର ଏହି ଜାତୀୟ ରାଜପଥ ଦେଇ ପ୍ରତିଦିନ ଫୁଲବାଣୀ, ବୌଦ୍ଧ, ବଲାଙ୍ଗୀରକୁ ଶହ ଶହ ଯାନବାହନ ଚଳାଚଳ କରୁଛି। ଜଣେ ଚାଳକଙ୍କ କହିବା କଥା ଉକ୍ତ ରାସ୍ତାରେ ଗଲା ବେଳେ ଜଗିରଖି ଗାଡ଼ି ଚଳାଉଛୁ। ନ ହେଲେ କେତେବେଳେ ଯେ ଦୁର୍ଘଟଣା ଘଟିବ ତାହା କହିବା ମୁସ୍କିଲ। ତୁରନ୍ତ ରାସ୍ତା କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ନୟାଗଡ଼ ଏନ୍‌ଏଚ୍‌ ବିଭାଗର ଏସ୍‌ଡ଼ିଓ ଚନ୍ଦନ କୁମାର ରଥଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ଠିକା ସଂସ୍ଥାକୁ କାର୍ଯ୍ୟ କରିବା ପାଇଁ ଅଧିକ ୬ ମାସ ଦିଆଯାଇଛି। ପୋଲ ହୋଇଥିବା ସ୍ଥାନରେ ପାଣି ଜମି ରହିଥିବାରୁ କାର୍ଯ୍ୟ ଆଗେଇପାରୁ ନାହିଁ। ଆଗାମୀ ମାସେ ଭିତରେ କାମ ଆରମ୍ଭ କରାଯାଇ ଜାନୁୟାରୀ ସୁଦ୍ଧା ଶେଷ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଜାନୁୟାରୀ ସୁଦ୍ଧା କାମ ଶେଷ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

Share