ଜାତୀୟ ରାଜପଥ ପାଇଁ ଅର୍ଥନୈତିକ ଅବରୋଧ: ଚେତାବନୀମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୩୫୩

ନୂଆପଡା ଅଫିସ,୨୦ା୫: ନୂଆପଡା ଜିଲାର ଲାଇଫ ଲାଇନ କୁହାଯାଉଥିବା ନୂଆପଡା-ଖଡିଆଳ ୩୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ଆଜକୁ ୫/୬ବର୍ଷ ଆରମ୍ଭ ହୋଇଥିଲେ ହେଁ ଶେଷ ହେବାର ନାଁ ଧରୁନାହିଁ । ମାତ୍ର ୬୫ କି.ମି. ଦୂର ରାସ୍ତାରେ ସବୁ ଜାଗାରେ ଖାଲଖମା ହୋଇଥିବାବେଳେ ଠିକାଦାର ବିଭିନ୍ନ ଜାଗାରେ ମାଟି ଖୋଳି ଦେଇ ଜିଲାବାସୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଜିଲା ପ୍ରଶାସନ ତରଫରୁ ସବୁବେଳେ ଏଥିପ୍ରତି ପଦକ୍ଷେପ ନିଆଯାଉଛି । ଖୁବଶୀଘ୍ର ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଉଥିଲେ ହେଁ ତାହା ପୂରଣ ହେଉ ନାହିଁ । ଆଗାମୀ ୮ ଦିନ ମଧ୍ୟରେ ଏହି କାମ ଶେଷ ନ ହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ। ଅର୍ଥନୈତିକ ଅବରୋଧ କରାଯିବ ବୋଲି କୋମନା ବ୍ଲକ ନାଗରିକ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି । ସୋମବାର ନାଗରିକମାନେ ନୂଆପଡା ଆସି ଜିଲାପାଳ ଏବଂ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ନାଗରିକ ସମାଜ ପକ୍ଷରୁ କୋମନା ବ୍ଲକର ଅର୍ଜୁନ ଜଗତ, ତରୁଣ ରଥ ଏବଂ ପରଦେଶୀ ମହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ପୂର୍ବାହ୍ନରେ ନୂଆପଡା ଆସିଥିଲେ । ଜିଲାପାଳ ଡା.ପୋମା ଟୁଡୁ ଏବଂ ଏସପି ସ୍ମିତ ପରମାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଜଣାଇଛନ୍ତି ଯେ, ନିର୍ମାଣାଧୀନ ରାସ୍ତାରେ ବିଶେଷ କରି କୋମନା ବ୍ଲକ ଦଲଦଲି, ବଞ୍ଜାରୀ, ଉଦ୍ୟାନବନ୍ଧ, କୋମନା, ପେଣ୍ଡ୍ରାବନ୍ଧ ଆଦି ଅଞ୍ଚଳରେ ରାସ୍ତା ଭାଙ୍ଗି ଉଜୁଡିଯାଇଛି । ଦୁଇଚକିଆ କି ଚାରିଚକିଆ ଯାନ ଯିବାଆସିବା କଷ୍ଟକର ହୋଇପଡୁଛି । ଏଥିମଧ୍ୟରୁ ଆଜକୁ ୩ ବର୍ଷ ହେବ ଦଲଦଲି, ବଞ୍ଜାରୀ ନିକଟସ୍ଥ ଫୁଡେନ ନାଲାପୋଲ କାମ ଆରମ୍ଭ କରାଯାଇଛି । ହେଲେ ଆଜିଯାଏଁ କାମ ଶେଷ ହୋଇପାରୁନାହିଁ । କାମ ଆରମ୍ଭ କରି ଠିକାଦାର ଜଣଙ୍କ କୁଆଡେ ଚାଲିଯାଇଛନ୍ତି । ସବୁଦିନ ଏହି ରାସ୍ତା ଦେଇ ଯାଆସ କରୁଛନ୍ତି ହେଲେ କାହାରି ଦୃଷ୍ଟି ପଡୁନାହିଁ । ଏହା ଉପରେ ଅଞ୍ଚଳବାସୀଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ଆଗକୁ ଦୁଇ ସପ୍ତାହ ପରେ ବର୍ଷାଦିନ ମାଡିଆସୁଛି । ଠିକ ସମୟରେ କାମ କରା ନ ଯାଏ ତେବେ ଏହା ଗମନାଗମନରେ ବାଧା ସୃଷ୍ଟି କରିବ । ଆସନ୍ତା ୨୭ ତାରିଖ ଯାଏଁ କାମ ଯଦି ଆରମ୍ଭ କରା ନ ଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ନିଷ୍ପତ୍ତି ନେଇଛନ୍ତି। ୨୭ ତାରିଖଠାରୁ ବାଞ୍ଜିବାହାଲ ନିକଟରେ ଜାତୀୟ ରାଜପକୁ ଅବରୋଧ କରି ଧାରଣା ଦେବେ । ଏଥିରେ ବାଞ୍ଜିବାହାଲ, ତରବୋଡ, ପଲସିପାଣୀ, ଗନିଆରୀ, ତରବୋଡବାସୀ ସାମିଲ ରହିବେ ବୋଲି କୁହାଯାଇଛି। ଟ୍ରକ, ପିକଅପ୍‌ ଭ୍ୟାନ ସହ ସମସ୍ତ ମାଲବୁହୀ ଗାଡିକୁ ବନ୍ଦ କରାଯିବ ା ଏଥିପାଇଁ ଟ୍ରକ ମାଲିକ ସଂଘ ସହ ଅନ୍ୟାନ୍ୟ ବ୍ୟବସାୟୀମାନେ ସହଯୋଗ କରି ସାମିଲ ରହିବାକୁ ମଞ୍ଚ ପକ୍ଷରୁ ଆହ୍ବାନ କରାଯାଇଛି ।