ଜାତୀୟ ରାଜପଥ ପାଲଟିଛି ଶୁଖୁଆ ଖଳା

ଗଞ୍ଜାମ,୧୩ା୧୨(ଡି.ଏନ.ଏ.) – ଗଞ୍ଜାମ ସହର ନିକଟସ୍ଥ ଦାମୋଦରପୁର ଗ୍ରାମର ପ୍ରାୟ ସମସ୍ତ ପରିବାର ମତ୍ସ୍ୟଜୀବୀ। କେତେକ ପରିବାର ଋଷିକୁଲ୍ୟା ନଦୀରେ ମାଛ ମାରି ଜୀବିକା ନିର୍ବାହ କରୁଥିବାବେଳେ ଆଉ କେତେକ ପରିବାର ରବିବାର ଜିଲା ପ୍ରସିଦ୍ଧ ହୁମ୍ମା ହାଟରୁ ଶୁଖୁଆ କିଣି ସେଗୁଡ଼ିକୁ ପୁଣି ସଫା କରି ଶୁଖାଇ ଗଁା ଗଁା ବୁଲି ବିକ୍ରି କରିଥାନ୍ତି। ସେଥିରୁ ଯାହା ଆୟ ହୁଏ ସେଥିରେ ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରୁ ନ ଥିବାରୁ ସେମାନେ ବାଧ୍ୟହୋଇ ୧୬ନଂ. ଜାତୀୟ ରାଜପଥରେ ଶୁଖୁଆକୁ ଶୁଖାଇବାକୁ ବାଧ୍ୟ ହେଉଛନ୍ତି। ଯଦି ପ୍ରଶାସନ ପକ୍ଷରୁ ଶୁଖୁଆଖଳା ନିର୍ମାଣ କରାଯାଆନ୍ତା ତା’ହେଲେ ମତ୍ସ୍ୟଜୀବୀମାନେ ବିପଜ୍ଜନକ ଭାବେ ରାଜପଥ ବ୍ୟବହାର କରି ନ ଥାନ୍ତେ ବୋଲି ଜଣେ ମହିଳା ଶୁଖୁଆ ବ୍ୟବସାୟୀ କହିଛନ୍ତି। ଏଥିସହିତ ଶୁଖୁଆର ଚାହିଦା ମଧ୍ୟ ଦିନକୁ ଦିନ କମୁଥିବା ସେ କହିଛନ୍ତି। ସେହିପରି ହୁମ୍ମା କୈବର୍ତ୍ତ ସାହିର ବ୍ୟବସାୟୀମାନେ ମଧ୍ୟ ଜାତୀୟ ରାଜପଥ ପାର୍ଶ୍ୱରେ ଶୁଖୁଆ ଶୁଖାଇବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କର ମଧ୍ୟ ରାଜପଥ ଏକମାତ୍ର ବିକଳ୍ପ। ଦୈନନ୍ଦିନ ହଜାର ହଜାର ଟ୍ରକ, ବସ୍‌ ରାଜପଥ ଦେଇ ବ୍ରହ୍ମପୁରରୁ ଭୁବନେଶ୍ୱର ଯାତାୟାତ କରୁଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହିହେବ ନାହିଁ। ଏଣୁ ବ୍ଲକ କିମ୍ବା ଜିଲା ପ୍ରଶାସନ ପକ୍ଷରୁ ଶୁଖୁଆ ବ୍ୟବସାୟୀଙ୍କ ନିମନ୍ତେ ଶୁଖୁଆଖଳା ନିର୍ମାଣ ପାଇଁ ଦାବି ହୋଇଛି। ଏନେଇ ବିଡିଓ ଜ୍ୟୋତି ଶଙ୍କର ରାଏଙ୍କୁ ପଚାରିବାରେ ଶୁଖୁଆ ଖଳା ନିର୍ମାଣ କାମ ଫିସେରୀ ଡିପାର୍ଟମେଣ୍ଟ କରିବ। ତେଣୁ ଏନେଇ ବିଭାଗକୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Share