ଜାତୀୟ ରାଜପଥ ସମତୁଲ କଲା ଯୁବକ ସଂଘ

ନୂଆପଡା ଅଫିସ/ତରବୋଡ,୨୯।୮(ଡି.ଏନ.ଏ.)  ଦୀର୍ଘ ୫ ବର୍ଷ ଧରି ନିର୍ମାଣ କାମ ଚାଲିଥିବା ଜାତୀୟ ରାଜପଥ ୩୫୩ କାମ ଆଜି ଯାଏଁ ଶେଷ ହେଉନି। ଠିକାଦାରଙ୍କ ଉଦାସୀନତା ଏବଂ ପ୍ରଶାସନିକ ଅବହେଳା ଯୋଗୁ ଏହା ମରଣଯନ୍ତା ପାଲଟିଛି। ଏଭଳିସ୍ଥିତିରେ ସ୍ଥାନୀୟ ମାନିଗୁଡା ଗାଁର ରେନବୋ ଯୁବକ ସଂଘ ଆଗକୁ ଆସି ରାସ୍ତା ମରାମତି କାମ କରିଛନ୍ତି । ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ବୁଧବାର ଦୀର୍ଘ ୬ ଘଣ୍ଟା ଧରି ଜାତୀୟ ରାଜପଥ ମାନିଗୁଡା ଗାଁ ନିକଟରେ ଦୁଇ ଗୋଟି ପୋଲ ରାସ୍ତା ମରାମତି କରି ଶ୍ରମ ଦାନ କରିଛନ୍ତି ।
ନୂଆପଡାରୁ ଖଡିଆଳକୁ ଯାଇଥିବା ୩୫୩ ନଂ. ଜାତୀୟ ରାଜପଥ ଦୀର୍ଘ ୬୫ କି.ମି. ଦୂରରାସ୍ତା ରହିଛି । ଏହାକୁ ଏକ ଠିକା କମ୍ପାନୀ ଗତ ୫ ବର୍ଷ ତଳେ କାମ ଆରମ୍ଭ କରିଥିଲା। ପ୍ରଶାସନକୁ ଖାତିର ନ କରି କାମ ସବୁ ଅଧାପନ୍ତରିଆ କରି ଛାଡି ଦେଇଛି । ଜିଲାର ଦଲଦଲି, ପଲସିପାଣୀ, ତରବୋଡ, ଉଦ୍ୟାନବନ୍ଧ, କୋମନା, ପେଣ୍ଡ୍ରାବନ୍ଧ, ଖଡିଆଳ ନିକଟରେ ରାସ୍ତା ଶୋଚନୀୟ ହୋଇପଡିଛି। ବିଭିନ୍ନ ସମୟରେ ଜିଲାବାସୀ ଆନ୍ଦୋଳନ କରି ରାସ୍ତାରୋକୋ କରୁଥିବାବେଳେ ପ୍ରଶାସନ ନିର୍ମାଣ କରାଯିବ ବୋଲି କେବଳ ପ୍ରତିଶ୍ରୁତି ଦେଉଛି । ଏହା ପରବର୍ତ୍ତି ସମୟରେ କାମକୁ ଆସୁନାହିଁ । ବର୍ତ୍ତମାନ ଲଗାଣ ବର୍ଷାରେ ରାସ୍ତାରେ ଦୁଇଚକିଆ, ଚାରି ଚକିଆ ଯାନ ସବୁ ଚାଲିପାରୁନାହିଁ । ବିଭିନ୍ନ ଯାଗାରେ ବିରାଟ ଗର୍ତ୍ତ ସବୁ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି କୋମନା ବ୍ଲକ ମାନିଗୁଡା ଗାଁର ରେନବୋ କ୍ଲବ କର୍ମକତ୍ତାମାନେ ପଦକ୍ଷେପ ନେଇଛନ୍ତି । ବୁଧବାର ସକାଳ ୮ଟାରେ କ୍ଲବ ସଭାପତି ଅଶୋକ ମାଝିଙ୍କ ନେତୃତ୍ୱରେ ୩୦ରୁ ଊର୍ଦ୍ଧ୍ୱ ଯୁବକ ହାତରେ କୋଦାଲ ଧରି ରାସ୍ତା ମରାମତି କରିଥିଲେ। ଦୀର୍ଘ ୬ ଘଣ୍ଟା ଧରି କାମ କରି ଗୋଡି, ବାଲି, ଗେଟି ଦେଇ ରାସ୍ତାର ଖାଲଗୁଡିକୁ ସମତୁଲ କରିଥିଲେ। ମାନିଗୁଡାରୁ ତରବୋଡ ଏବଂ ମାନିଗୁଡାରୁ ଜଡାମୁଣ୍ଡା ଛକ ପଟକୁ ଥିବା ରାସ୍ତା ପୋଲ ନିକଟରେ ଦୀର୍ଘ ଦିନ ଧରି ଖାଲ ହୋଇ ପଡିରହିଥିଲା । ଏଥିରେ ବହୁ ଯାତ୍ରୀ ଦୁର୍ଘଟଣାଗ୍ରସ୍ତ ହେଉଥିବା ଖବର ରହିଛି । ଏହି ରାସ୍ତା ଦେଇ ଯିବାଆସିବା କରୁଥିବା ଯାତୀ୍ରମାନେ ଏହାକୁ ଦେଖି ପ୍ରଶଂସା କରିଥିବାବେଳେ ପ୍ରଶାସନକୁ ନିନ୍ଦା କରିଥିଲେ । ଆଗକୁ ଏହା ଜାରି ରହିବ । ଆଗାମୀ ଦିନରେ ଆହୁରି କାମ କରିବା ସହ ଅନ୍ୟାନ୍ୟ କ୍ଲବ କର୍ମକର୍ତ୍ତାଙ୍କୁ ଏଥିରେ ସାମିଲ ହେବାକୁ ଆହ୍ବାନ କରିବେ ବୋଲି ସଭାପତି ମାଝି କହିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହିମାଂଶୁ, ଗୁଡ୍ଡୁ, ଡୋଲା, କୁନାଲ, ଚିନ୍ତା ପ୍ରମୁଖ ସାମିଲ ଥିଲେ। କ୍ଲବ ପରାମର୍ଶଦାତା ଭାବେ ଦିବତି, ଅନିରୁଦ୍ଧ, ଗୁପ୍ତେ, ନବୀନ, ବିଭୂତି, ଦିନବନ୍ଧୁ ମଧ୍ୟ ଯୋଗଦେଇ ଉତ୍ସାହିତ କରିଥିଲେ।